Unknown

 

 

 

 

 

 

 

 

 

 

 

ଅଜଗର

ଉଦୟନାଥ ଷଡ଼ଙ୍ଗୀ

 

(୧)

 

ବଣଜଙ୍ଗଲର ପଶୁଙ୍କ ଭିତରେ ମନୁଷ୍ୟର ସବୁଠାରୁ ବଡ଼ ଶତ୍ରୁ ସାପ । ବାଘ, ସିଂହ ପ୍ରଭୃତି ଯେତେ ହିଂସୁକ ପଶୁ ହୁଅନ୍ତୁ ନା କାହିଁକି, ପିଲାଦିନୁ ପୋଷିଲେ, ସେମାନେ କିଛି ହେଲେ ପୋଷା ମାନନ୍ତି; ସେମାନଙ୍କ ସ୍ୱଭାବ କେତେକ ପରିମାଣରେ ବଦଳିଯାଏ; କିନ୍ତୁ ସାପକୁ ଯେତେ ପୋଷା ମନାଇଲେ ମଧ୍ୟ ସେ ତା’ ସ୍ୱଭାବ ଛାଡ଼ି ପାରେନାହିଁ; ସୁଯୋଗ ସୁବିଧା ପାଇବା ମାତ୍ରକେ କାମୁଡ଼େ । ସାପ ପରି ନିଷ୍ଠୁର ବୋଧହୁଏ ଆଉ କେହି ନୁହନ୍ତି । ତେଣୁ କବି ଗାଇଛନ୍ତି–

 

‘‘ସର୍ପ ସମାନ ଭୟଙ୍କର । ଦୁର୍ଜନ ଜନେ ପରିହର ।’’

 

କେବଳ ସାପ କାମୁଡ଼ାରେ ଆମ ଭାରତବର୍ଷରେ ବର୍ଷକୁ ଲକ୍ଷେରୁ ଅଧିକ ଲୋକ ମରନ୍ତି । ଅନ୍ୟାନ୍ୟ ଜୀବଜନ୍ତୁ ଯେ କେତେ ନଷ୍ଟ ହୁଅନ୍ତି, ତା’ର ହିସାବ ବା କିଏ ରଖୁଛି ?

 

ପଣ୍ଡିତମାନେ ହିସାବ କରି ଜାଣିଅଛନ୍ତି ଯେ, ପୃଥିବୀରେ ମୋଟରେ ୧୬୫୦ ପ୍ରକାରର ସାପ ଅଛନ୍ତି । ବାଇଶ ହାତ ଲମ୍ବା ବଡ଼ ସାପଠାରୁ ଆରମ୍ଭ କରି ଚାରି ପାଞ୍ଚ ଇଞ୍ଚ ପର୍ଯ୍ୟନ୍ତ ଲମ୍ବା ସାନ ସାପ ମଧ୍ୟ ଦେଖାଯାଆନ୍ତି । ଏମାନଙ୍କ ଭିତରୁ ଅଧିକାଂଶ ଭାରତ, ଚୀନଦେଶର ଦକ୍ଷିଣ ଭାଗ ଓ ମାଳୟରେ ରହନ୍ତି । ଇଉରୋପ, ଆଫ୍ରିକା, ଆମେରିକା ଓ ଅଷ୍ଟ୍ରେଲିଆ ମହାଦେଶର ଅପେକ୍ଷାକୃତ ଗରମ ଅଞ୍ଚଳ ସାପମାନଙ୍କର ବାସସ୍ଥାନ । ଦକ୍ଷିଣ ଆମେରିକାର ‘ରେଟିକୁଲେଟ ପାଇଥନ’ ଓ ‘ଆନାକୋଣ୍ଡା’ ସାପ ପୃଥିବୀରେ ସବୁଠାରୁ ବେଶି ଲମ୍ବା ବୋଲି ଏପର୍ଯ୍ୟନ୍ତ ଜଣା ଯାଇଛି । ଥରେ ସେଠାରେ ଶିକାରୀମାନେ ଗୋଟିଏ ଛବିଶ ହାତର ଲମ୍ବ ସାପ ମାରିଥିଲେ ।

 

ସାପ ପ୍ରଧାନତଃ ଦୁଇଭାଗରେ ବିଭକ୍ତ :–ବିଷାକ୍ତ ସାପ ଓ ବିଷ ନ ଥିବା ସାପ ।

 

ଆମ ଦେଶରେ ବିଷାକ୍ତ ସାପ ମଧ୍ୟରେ ଅହିରାଜ, ଗୋଖର, ତମ୍ପ, ନାଗ, ରଣା ପ୍ରଭୃତି ପ୍ରଧାନ । ଏମାନଙ୍କ ମୁହଁର ଫଣା ଚଉଡ଼ା ଓ ଦେହରେ ଜୋର ବେଶି । ଏମାନେ ଖୋଜି ଖୋଜି ମଣିଷ ବା ଜୀବଜନ୍ତୁଙ୍କୁ କାମୁଡ଼ନ୍ତି । ଶିକାର ପାଇଲେ ଏମାନେ ଫଣା ଟେକି ଲାଙ୍ଗୁଡ଼ ଉପରେ ଠିଆ ହୋଇଯାଆନ୍ତି ।

 

ଯେଉଁମାନଙ୍କର ବିଷ ନାହିଁ, ସେମାନଙ୍କ ଭିତରେ ଅଜଗର, ଧଣ୍ଡ ପ୍ରଭୃତି ଯାଆନ୍ତି । ଏମାନଙ୍କର ପାଟି ବଡ଼; କିନ୍ତୁ ଫଣା ନାହିଁ । ମୁହଁ ପାଖରେ ଜୀବଜନ୍ତୁ ପଡ଼ିଲେ, ଏମାନେ ଖାଆନ୍ତି; କିନ୍ତୁ କାହାକୁ ଗୋଡ଼ାଇ କାମୁଡ଼ନ୍ତି ନାହିଁ । ଏମାନେ ବେଶି ଉଚ୍ଚକୁ ଫଣା ଟେକି ଠିଆ ହୋଇପାରନ୍ତି ନାହିଁ ।

 

ଆମ ଦେଶରେ ସାପଙ୍କ ମଧ୍ୟରେ ଅଜଗର ସବୁଠାରୁ ଲମ୍ବା ଓ ମୋଟା ହୁଏ । ଦେଖିବାକୁ ଏହା ଭୀଷଣ ସତ; ମାତ୍ର ଅହିରାଜ ବା ତମ୍ପ ପ୍ରଭୃତିଙ୍କ ପରି ଏହା ସେତେ ଦୁଷ୍ଟ ସ୍ୱଭାବର ନୁହେଁ ।

 

ସାପ ସବୁ ସମୟରେ ତା’ ଜିଭଟା ପଦାକୁ ବାହାର କରି ଲହଲହ କରୁଥାଏ । ଏ ଜିଭଟା ଦୁଇ ଖଣ୍ଡ ହୋଇ ଚିରା ହୋଇଥାଏ । ଏହା ନାକର କାମ କରେ । ଏହି ଜିଭଦ୍ୱାରା ସେ ବାସନା ବାରେ ଓ ନିଃଶ୍ୱାସ ନିଏ । ତେଣୁ ପ୍ରତି ମୁହୂର୍ତ୍ତରେ ସେ ଜିଭଟାକୁ ପଦାକୁ କାଢ଼ି ଥାଏ ।

 

ସାପର କାନ ନାହିଁ; କିନ୍ତୁ ତା’ ଚମରେ ଏପରି କଣା ଅଛି, ଯେଉଁଥିରେ କି ସେ ଶବ୍ଦ ଅନୁଭବ କରିପାରେ । ଗୋଟିଏ ଚିଡ଼ିଆଖାନାରେ ଦୁଇଟି ସାପଙ୍କର ଆଖି ଅଠାଲଗା ଫିତାରେ ବନ୍ଦ କରି ଦିଆଗଲା । ତା’ପରେ ତାଙ୍କ ପାଖରେ ଯେତେ ଢୋଲ ବାଡ଼ିଆ ହେଲା ବା ଅନ୍ୟ ପ୍ରକାର ଶବ୍ଦ କରାଗଲା, ସେ କୌଣସିଥିରେ ହଲଚଲ ହେଲେ ନାହିଁ; ମାତ୍ର ଯେଉଁ ତଳେ ଶୋଇଥିଲେ, ସେହି ତଳେ ଟିକିଏ ଯୋତା ଘୋଷାରି ଦେଲେ କି ଠକ୍‌ଠକ୍‍ ଶବ୍ଦ କଲେ ସେ କମ୍ପି ଉଠୁଥିଲେ । ଏଇଥିରୁ ଜଣାଯାଏ, ତଳେ ଲାଗିଥିବା ପେଟର ଚମଦ୍ୱାରା ହିଁ ସେ ଶବ୍ଦ ଜାଣିପାରୁଥିଲେ ।

 

ସାପ ବଂଶୀ, ଲାଉତୁମ୍ବା, ସପ୍ତସ୍ୱର, ପ୍ରଭୃତିର ଶବ୍ଦ ଏବଂ ସୁସ୍ୱର ଗୀତ ଶୁଣିବାକୁ ଭଲପାଏ ବୋଲି ଲୋକଙ୍କର ବିଶ୍ୱାସ । କେଳାମାନେ ‘ପଦ୍ମତୋଳା’ ଗୀତ ବୋଲି ବା ବଂଶୀ ପ୍ରଭୃତି ବଜାଇ ସାପକୁ ପ୍ରଥମେ ମୋହିତ କରିଦିଅନ୍ତି ଏବଂ ତା’ପରେ କଳକୌଶଳରେ ତାକୁ ଧରନ୍ତି । ଯେଉଁ ସମୟତକ ଗୀତ ବୋଲା ହେଉଥିବ ବା ବଂଶୀ ବାଜୁଥିବ, ସେତକ ସମୟ ସାପ ବେଶ୍‌ ଶାନ୍ତଭାବରେ ସେଠାରେ ରହିଥିବ । ତାହା ବନ୍ଦ ହୋଇଯିବା ସାଙ୍ଗେ ସାଙ୍ଗେ ସେ ତା’ର ନିଜ ରୂପ ପ୍ରକାଶ କରିବ ।

 

ସାପଙ୍କ ଆଖି ଦୁଇଟା ଗୋଲ କାଚପରି ଚିକ୍‌ଚିକ୍‌ ଦିଶେ । ଏମାନଙ୍କର ଆଖିପତା ନାହିଁ-। ପାତଳା ଚମଭିତରେ ଥିବା ଉଜ୍ଜ୍ୱଳ ଡୋଳା ଦୁଇଟା ଏପାଖ ସେପାଖ ହେଉଥାଏ ।

 

ସାପର ପାଟିଭିତରେ ଦୁଇ ପ୍ରକାର ଦାନ୍ତ ଅଛି, ବିଷଦାନ୍ତ ଓ ସାଧାରଣ ଦାନ୍ତ । ଉପର ପାଟିରେ ଦୁଇଟି ଅତି ମୁନିଆଁ ଓ ଲମ୍ବା ବିଷଦାନ୍ତ ଥାଏ, ତା’ର ଭିତର ପୋଲା । ଦାନ୍ତର ମାଢ଼ି ଭିତରେ ବିଷର ନଳୀ ରହିଥାଏ । ସାପ ରାଗରେ କାମୁଡ଼ି ଦେଲେ, ମାଢ଼ିରୁ ସେ ପୋଲା ଦାନ୍ତବାଟେ ବିଷ ଆସି କ୍ଷତସ୍ଥାନରେ ଲାଗିଯାଏ । ସେ ବିଷ ଏତେ ମାରାତ୍ମକ ଯେ, ମନୁଷ୍ୟ ବା ଜୀବଜନ୍ତୁଙ୍କ ରକ୍ତରେ ମିଶିଯିବା ସାଙ୍ଗେ ସାଙ୍ଗେ ସେମାନଙ୍କୁ ଅବଶ କରିପକାଏ । ଦେହ ନୀଳବର୍ଣ୍ଣ ପଡ଼ିଯାଏ ଓ ସେମାନେ ଅଳ୍ପ ସମୟ ମଧ୍ୟରେ ମରିଯାଆନ୍ତି । ସାଧାରଣ ଦାନ୍ତଗୁଡ଼ିକ ନିଦା । ସେହି ଦାନ୍ତରେ ସାପ କାମୁଡ଼ି ତା’ ଖାଦ୍ୟ ଖାଏ । ସାପର ଦାନ୍ତଗୁଡ଼ିକ ବଙ୍କା ହୋଇ ପାଟିର ଭିତର ଆଡ଼କୁ ପଶି ଯାଇଥାଏ । ତେଣୁ ସେ ଯେ କୌଣସି ଖାଦ୍ୟ ଥରେ ପାଟିରେ ପୂରାଇଲେ, ତାହା ଆଉ ପଦାକୁ ବାହାର କରିଦେଇ ପାରେନାହିଁ; କ୍ରମେ କ୍ରମେ ସେ ଖାଦ୍ୟ ପାଟି ଭିତରକୁ ଚାଲିଯାଏ ।

 

ସାପ ସାଧାରଣତଃ ବେଙ୍ଗ, ମୂଷା, ମାଛ, ଚଢ଼େଇର ଅଣ୍ଡା, ଚଢ଼େଇ, ସାନସାପ, ଠେକୁଆ, ଛେଳିଛୁଆ, ମେଣ୍ଢାଛୁଆ ପ୍ରଭୃତି ଖାଆନ୍ତି । ବଡ଼ ବଡ଼ ସାପସବୁ ଜଙ୍ଗଲରେ ହରିଣ, ବିଲୁଆ, କୁକୁର, ବାର୍‌ହା ପ୍ରଭୃତି ମଧ୍ୟ ଖାଆନ୍ତି । ଏମାନେ ଖାଦ୍ୟକୁ ଏକାବେଳକେ ଗିଳି ଦିଅନ୍ତି । ପାଟି ଯେଡ଼େ ତା’ ଅପେକ୍ଷା ଖୁବ୍‌ ବଡ଼ ଜିନିଷକୁ ମଧ୍ୟ ଏମାନେ ଅକ୍ଳେଶରେ ଗିଳି ଦେଇପାରନ୍ତି । ଏମାନଙ୍କ ପାଟି ଓ ଦେହଟା ରବର ନଳି ପରି । ଖାଦ୍ୟ ଯେଉଁ ସ୍ଥାନକୁ ଯାଏ ସେ ସ୍ଥାନ ଫୁଲିଉଠେ; ଖାଦ୍ୟ ସେଠାରୁ ଖସିଗଲେ, ତାହା ପୁଣି ପୂର୍ବ ଆକାର ଧରେ । ବଡ଼ ବଡ଼ ଜୀବ ଗିଳିବା ପୂର୍ବରୁ ସାପ ଆଗ ସେମାନଙ୍କ ଦେହରେ ଗୁଡ଼ାଇ ହୋଇଯାଏ । ସାପର ଏତେ ଜୋର ଯେ, ସେ ଗୁଡ଼ାଇ ହୋଇ ନିଜ ଦେହକୁ ଭିଡ଼ି ଦେଲେ ବାର୍‌ହା, ହରିଣ ପ୍ରଭୃତିଙ୍କ ହାଡ଼ସବୁ ଏକାବେଳକେ ଭାଙ୍ଗି ଚୂନା ହୋଇଯାଏ; ସେତେବେଳେ ସାପକୁ ତାହା ଗିଳିବାକୁ ସୁବିଧା ହୁଏ ।

 

ଆଫ୍ରିକା ବଣରେ କେତେକ ସାପ ଅଛନ୍ତି, ସେମାନେ ପାଞ୍ଚ ସାତ ହାତ ଦୂରରୁ ମଧ୍ୟ ମଣିଷ ବା ଜୀବଜନ୍ତୁଙ୍କୁ ମାରିଦେଇ ପାରନ୍ତି । ଏଡ଼େ ଜୋରରେ ସେମାନେ ନିଃଶ୍ୱାସ ନିଅନ୍ତି ଯେ, ମଣିଷ ବା ଜୀବଜନ୍ତୁ ଟାଣିହୋଇ ତାଙ୍କ ମୁହଁପାଖକୁ ଚାଲି ଆସନ୍ତି । ଆଉ କେତେକ ସାପ ଦୂରରୁ ମଧ୍ୟ ବିଷ ଫିଙ୍ଗନ୍ତି । ସେ ବିଷ ଦେହରେ ବାଜିବା ସାଙ୍ଗେ ସାଙ୍ଗେ ଜୀବଜନ୍ତୁ ଅବଶହୋଇ ପଡ଼ିଯାଆନ୍ତି; ସେତେବେଳେ ତାକୁ ଖାଇବା ସାପ ପକ୍ଷରେ ସହଜ ହୁଏ ।

 

ଥରେ ଚିଡ଼ିଆଖାନରେ ଥିବା ଗୋଟିଏ ସାପ ଲାଗଲାଗ ଚାରିଟା ମେଣ୍ଢା ଖାଇଥିଲା । ସେ ମେଣ୍ଢା ଚାରୋଟିର ଓଜନ ଛତିଶ ସେର ଓ ସେମାନଙ୍କ ମୁଣ୍ଡରେ ଚାରି ପାଞ୍ଚ ଇଞ୍ଚ ଲମ୍ବର ଶିଙ୍ଗସବୁ ଥିଲା । ଚବିଶ ଘଣ୍ଟା ମଧ୍ୟରେ ସେ ଏତକ ଖାଦ୍ୟ ଖାଇଥିଲା ଏବଂ ତା’ପରେ ଦଶ ଦିନ ଯାଏ ତାକୁ ଖାଇବାକୁ ଦିଆ ନ ଗଲେ ମଧ୍ୟ ସେ ନିଶ୍ଚିନ୍ତ ରହିଥିଲା । ଆଉ ଗୋଟିଏ ସାପ ଏକ ମହଣ ସାତ ସେର ଓଜନର ଗୋଟାଏ ଛେଳି ଦେଢ଼ ଘଣ୍ଟା ମଧ୍ୟରେ ଗିଳି ଦେଇଥିଲା । ତୃତୀୟ ସାପଟି ଷୋଳ ସେର ଓଜନର ଗୋଟିଏ ଛେଳି ଖାଇବାର ଚାରି ଘଣ୍ଟା ପରେ ବାଇଶ ସେର ଓଜନର ଗୋଟିଏ ହରିଣ ପାଇ ଖୁସିରେ ଖାଇଥିଲା ।

 

ସେହି ଚିଡ଼ିଆଖାନାରେ ଆଉ ଗୋଟିଏ ନଅହାତ ଲମ୍ବର ସାପ ସାଢ଼େ ସାତ ହାତ ଲମ୍ବର ସାପକୁ ବିନା କଷ୍ଟରେ ଗିଳି ଦେଇଥିଲା ।

 

ସାପ କିଛି ନ ଖାଇ ବହୁ ଦିନ ପର୍ଯ୍ୟନ୍ତ ମଧ୍ୟ ରହିପାରେ । ଜଣେ ସାପ ବିଶେଷଜ୍ଞ ଲେଖିଅଛନ୍ତି, ଗୋଟିଏ ସାପ ଅଠର ମାସ ପର୍ଯ୍ୟନ୍ତ କିଛି ନ ଖାଇ ରହିଥିଲା, ତା’ପରେ ଖାଦ୍ୟ ଦିଆ ନ ଯିବାରୁ ମରିଗଲା ।

 

ଆଫ୍ରିକା ଜଙ୍ଗଲରେ ଗୋଟାଏ ଜାତିର ସାପ ଅଛନ୍ତି, ସେମାନଙ୍କ ମୁଣ୍ଡରେ ଦୁଇଟା ଲେଖାଏଁ ସାନ ଶିଙ୍ଗ ଥାଏ ।

 

ସାପମାନଙ୍କର ଗୋଡ଼ ନାହିଁ । ସେମାନେ ପେଟରେ ଘୁଷୁରି ଘୁଷୁରି ଚାଲନ୍ତି । ସେମାନେ କେବେ ହେଲେ ସିଧା ସଳଖ ଯାଇପାରନ୍ତି ନାହିଁ; ବଙ୍କେଇ ବଙ୍କେଇ ଗତି କରିଥାଆନ୍ତି । କୌଣସି ସାପ ଘଣ୍ଟାକେ ତିନି ଚାରି ମାଇଲରୁ ବେଶି ବେଗରେ ଯାଇପାରେ ନାହିଁ ।

 

କିନ୍ତୁ ସାପର ଦେହ ଏପରି ଭାବରେ ତିଆରି ଯେ, ସେ ସମତଳ ଭୂମିରେ ଯେପରି ଚାଲେ, ଖାଲ ଉଚ୍ଚ ଭୂଇଁରେ ବି ସେହିପରି ଚାଲେ । ଶୁଖିଲାରେ ରହେ, ପାଣିରେ ପହଁରେ, ଗଛରେ ଚଢ଼େ । ଆମ ଦେଶରେ ସାଧାରଣତଃ ଉଇହୁଙ୍କା ବା ମୂଷାଗାତମାନଙ୍କରେ ସାପ ଘର କରି ରହିଥିବାର ଦେଖାଯାଏ । ଜଙ୍ଗଲରେ ଘାସ ବୁଦାଭିତରେ ବା ଗଛ ଉପରେ ସାପ ରହନ୍ତି ।

 

ସାପସବୁ ବର୍ଷକେ ଛଅଥର ଦେହରୁ କାତି ଛାଡ଼ନ୍ତି । ଏହି କାତି ଛାଡ଼ିବା ବେଳରେ ସେମାନେ କେତେକ ସମୟ ନିର୍ଜୀବ ହୋଇ ପଡ଼ିରହନ୍ତି । ଠିକ୍‌ ତାଙ୍କ ଦେହ ଲମ୍ବର ଗୋଟାଏ ଧଳା କାତି ଅଲଗା ହୋଇଗଲେ, ସେମାନେ ସେଠା ଛାଡ଼ି ଅନ୍ୟତ୍ର ଚାଲିଯାଆନ୍ତି ।

 

ଖୁବ୍‌ ବେଶି ହେଲେ ସାପ ବାଇଶ ବର୍ଷ ପର୍ଯ୍ୟନ୍ତ ବଞ୍ଚିରହେ । ଆମ ଦେଶର ସାଧାରଣ ସାପଙ୍କ ପରମାୟୁ ସାତ ଆଠ ବର୍ଷ ଯାଏ ହୋଇଥାଏ । ମାତ୍ର ବଣରୁ ଆଣି ଘରେ ରଖିଲେ, ସେମାନେ ଅଳ୍ପଦିନ ବଞ୍ଚନ୍ତି ।

 

ଗୋଟିଏ ମାଈ ସାପ ତା’ର ଜୀବନକାଳ ମଧ୍ୟରେ ହାରାହାରି ଛଅଶହ ଛୁଆ ଜନ୍ମ କରିଥାଏ । ଏତେ ବହୁପାରିମାଣରେ ବଂଶବୃଦ୍ଧି ହେଉଥିବାରୁ ନାନା ଉପାୟ କଲେ ମଧ୍ୟ ଆମ ଦେଶରୁ ସାପଙ୍କ ଉପଦ୍ରବ କମୁ ନାହିଁ ।

 

ମାଈସାପ ଡିମ୍ବ ଦିଏ । ଗୋଟିଏ ଗୋଟିଏ ସାପ ଥରକେ ଶହେଯାଏ ଡିମ୍ବ ଦେବାର ଦେଖାଯାଇଛି; କିନ୍ତୁ ବିଷାକ୍ତ ସାପଗୁଡ଼ିକ ଥରକେ ପଚାଶ ଷାଠିଏ ପର୍ଯ୍ୟନ୍ତ ଡିମ୍ବ ଦେଇଥାଆନ୍ତି । ମାଆ ସାପ ତା’ ଡିମ୍ବଗୁଡ଼ିକୁ ବାଲିଭିତରେ ପୋତିରଖି ଉଷୁମ କରେ ।

 

ସାମାନ୍ୟ କେତେ ଜାତିର ସାପ ଅଛନ୍ତି, ସେମାନେ ଛୁଆ ଜନ୍ମ କରନ୍ତି; ଡିମ୍ବ ଦିଅନ୍ତି ନାହିଁ ।

 

ଡିମ୍ବ ଫୁଟିବା ସଙ୍ଗେ ସଙ୍ଗେ ଛୁଆ ତା’ର ସ୍ୱଭାବ ପ୍ରକାଶ କରେ । ସେ ତା’ ଟିକି ଫଣାଟି ଟେକି ଫଁଫଁ ହୁଏ ଓ ଖାଦ୍ୟ ଖୋଜି ବୁଲେ । ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଛୁଆଙ୍କ ପରି ସାପଛୁଆକୁ କେବେ ହେଲେ ମାଆ ଉପରେ ନିର୍ଭର କରିବାକୁ ପଡ଼େ ନାହିଁ ।

 

ଆମ ଦେଶରେ ବିଷାକ୍ତ ସାପଙ୍କ ମଧ୍ୟରେ ଅହିରାଜ ସବୁଠାରୁ ବଡ଼ । ଏହା ସାଧାରଣତଃ ବଡ଼ ବଣରେ ରହେ । କଟକ ପାଖ ପଟିଆ ବଣରେ ବେଶି ସଂଖ୍ୟାରେ ଅହିରାଜ ଦେଖାଯାଆନ୍ତି । ମଣିଷକୁ ଦେଖିଲେ ଅହିରାଜ ହଠାତ୍‌ ଫଣା ଟେକି ଠିଆ ହୋଇଯାଏ ଏବଂ ତାଳୁ ଉପରେ ପ୍ରଥମେ ଆଘାତ କରିବାକୁ ଚେଷ୍ଟା କରେ । ପଟିଆରେ ଏକ ଜାତିର ଲୋକ ଅଛନ୍ତି, ସେମାନେ ବଣରୁ ସାପ ଧରି ପେଡ଼ିରେ ରଖନ୍ତି । ଗାଁ ଗାଁ ବୁଲି ସେମାନଙ୍କୁ ଖେଳାଇ ପଇସା ରୋଜଗାର କରନ୍ତି । ଏମାନଙ୍କୁ ସାପୁଆ କେଳା କୁହାଯାଏ ।

 

ଅହିରାଜ ପଛକୁ ଗୋଖର, ତମ୍ପ ଓ ନାଗ । ଗୋଖର ଓ ତମ୍ପ ସାପଗୁଡ଼ିକ ରାଗୀ ଓ ଦୁର୍ଦ୍ଦାନ୍ତ । ଏମାନେ ଯାହାକୁ ଆଖି ଆଗରେ ଦେଖନ୍ତି, ତାକୁ କାମୁଡ଼ିବାକୁ ଗୋଡ଼ାନ୍ତି । ଧାନକିଆରି ମାନଙ୍କରେ ଏକ ପ୍ରକାର ତମ୍ପ ଥାଆନ୍ତି, ସେମାନଙ୍କୁ ଅଢ଼େଇ କିଆରିଆ ତମ୍ପ କୁହାଯାଏ । ଲୋକେ କହନ୍ତି, ଏମାନେ ଅଢ଼େଇଟା କିଆରି ପର୍ଯ୍ୟନ୍ତ ମଣିଷକୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ନ୍ତି । ମଣିଷ ଜୋରରେ ଦଉଡ଼ି ଅଢ଼େଇଟା କିଆରି ପାର ହୋଇପାରିଲେ ଏମାନଙ୍କ ଦାଉରୁ ରକ୍ଷାପାଏ ।

 

ନାଗ ସାପ ଏପରି ଦୁର୍ଦ୍ଦାନ୍ତ ନୁହେଁ । ଦୈବାତ୍‌ ତା’ ଉପରେ କାହାର ପାଦ ପଡ଼ି ନ ଗଲେ କି ତା’ ଦେହରେ ଆଘାତ ନ ଲାଗିଲେ, ସେ କାହାକୁ କାମୁଡ଼େ ନାହିଁ ।

 

ଅନ୍ୟ ପଶୁଙ୍କଦ୍ୱାରା ମନୁଷ୍ୟର କିଛି ନା କିଛି ଉପକାର ହୁଏ; ମାତ୍ର ସାପଠାରୁ ମନୁଷ୍ୟ କୌଣସି ଉପକାର ପାଏ ନାହିଁ । ତେବେ ଆଜିକାଲି ସାପବିଷରୁ ସାମାନ୍ୟ କେତେକ ଓଷଦ ତିଆରି କରାଗଲାଣି । ସାପଚମଡ଼ାରେ ଯୋତା, ବ୍ୟାଗ ପ୍ରଭୃତି ତିଆରି ହେଲାଣି; ମାତ୍ର ସାପ ଯାହା କ୍ଷତି କରେ, ତା’ ତୁଳନାରେ ଏ ଉପକାର ଅତି ତୁଚ୍ଛ ।

 

ସାପକୁ ମନୁଷ୍ୟ ଏତେ ଭୟ କରେ ଯେ, ରାତିରେ ସାପ ନାଁ ଧରିବା କି ସାପ ବିଷୟରେ କଥାବାର୍ତ୍ତା ହେବାକୁ ପୁରୁଣାକାଳିଆ ଲୋକେ ମନାକରନ୍ତି ।

 

ବୋଧହୁଏ, ସାପକୁ ଏତେ ଭୟ କରୁଥିବାରୁ ପୂର୍ବ କାଳରେ ହିନ୍ଦୁମାନେ ସାପକୁ ପୂଜା କରୁଥିଲେ । ନାଗଚତୁର୍ଥୀ ଆମ ଦେଶରେ ଗୋଟିଏ ପର୍ବ ଦିନ । ସେଦିନ ନାଗସାପର ପୂଜା କରାଯାଇଥାଏ । ମହାଦେବଙ୍କ ପାଖରେ ପିତଳ ବା ସୁନା ରୂପାର ନାଗସାପ ରଖି ପୂଜା କରାଯାଏ-

 

(୨)

 

ଶୀତ ଦିନ । କେତେ ଜଣ ବନ୍ଧୁ ବଣଭୋଜି କରିବା ଉଦ୍ଦେଶ୍ୟରେ ଚୁଡ଼ଙ୍ଗ ବଣକୁ (ବର୍ତ୍ତମାନର ନନ୍ଦନ କାନନ) ଯାଇଥିଲୁ । ସାଙ୍ଗରେ ଚାଉଳ, ଡାଲି, ପରିବା ଓ ଡେକ୍‌ଚି ବ୍ୟତୀତ ଆଉ କିଛି ନ ଥାଏ । ବଣକୁ ବାଟ କଢ଼ାଇନେବା ପାଇଁ ବାରଙ୍ଗ ପାଖରୁ ଜଣେ ମୂଲିଆକୁ ସାଙ୍ଗରେ ନେଲୁ । ତା’ ହାତରେ ଖଣ୍ଡିଏ କଟୁରୀ ।

 

ସକାଳ ପ୍ରାୟ ନଅଟା ବେଳ । ନିବିଡ଼ ବଣଭିତରେ ହାତେ ଚଉଡ଼ାର ଗୋଟିଏ ସରୁ ରାସ୍ତା । ଦୁଇ ପାଖରେ କଣ୍ଟାବାଉଁଶର ବୁଦା ଓ ଅନ୍ୟାନ୍ୟ ଗଛ ପୂରିରହିଛି । ସୂର୍ଯ୍ୟକିରଣ ନିବିଡ଼ ଗଛ ସନ୍ଧି ଦେଇ ଅତି ଅଳ୍ପ ପରିମାଣରେ ବଣ ଭିତରେ ପଡ଼ୁଛି ।

 

ସରୁ ବାଟରେ ଜଣକ ପଛରେ ଜଣେ ଚାଲିଛୁ । ଚୁଡ଼ଙ୍ଗ ହ୍ରଦ ଆଉ ଖଣ୍ଡେଦୂରରେ ଅଛି । ଆମର ଲକ୍ଷ୍ୟ, ସେ ହ୍ରଦ ପାଖରେ ପହଞ୍ଚିଲେ, ପ୍ରଥମେ ଟିକିଏ ବିଶ୍ରାମ ନେବୁ; ବାଟ ଚାଲିଚାଲି ଗୋଡ଼ କ୍ଳାନ୍ତ ହୋଇପଡ଼ିଲାଣି । ତା’ପରେ କିଏ ଚୁଲା ଖୋଳିବ, କିଏ ବଣରୁ ଜାଳ ସଂଗ୍ରହ କରିବାକୁ ଯିବ, କିଏ ରୁଷାଇ କରିବ–ଏହି କଳ୍ପନା ଚାଲିଥାଏ । ନାନାପ୍ରକାର ହସକୌତୁକ କଥାବାର୍ତ୍ତାରେ ଆମେ ତନ୍ମୟ ହୋଇ ପଡ଼ିଥାଉଁ ।

 

ହଠାତ୍‌ ମଝିରୁ ଜଣେ ସାଙ୍ଗ ତା’ ଆଗରେ ଥିବା ପିଲାଟିର ଅଣ୍ଟା ଧରି ଟାଣିଦେଲା । ଦ୍ୱିତୀୟ ବ୍ୟକ୍ତି ତା’ ଆଗରେ ଥିବା ଲୋକକୁ ମଧ୍ୟ ଝିଙ୍କିଲା । ସାଙ୍ଗେ ସାଙ୍ଗେ ସମସ୍ତଙ୍କ ପାଟିରୁ କଥା ବନ୍ଦ ହୋଇଗଲା । ସମସ୍ତେ ସମସ୍ତଙ୍କ ମୁହଁକୁ ଚାହିଁ ରହିଲୁ ।

 

ବଣରେ ବାଘ ଭାଲୁ ଅଛନ୍ତି–ଏ ଆଶଙ୍କା ଆମର ଥିଲା । ସମସ୍ତେ ଜାଣିଗଲୁ, ମଝି ସାଙ୍ଗ ଜଣକ କେଉଁଠି ବାଘର ସନ୍ଧାନ ପାଇଲେ ।

 

ସମସ୍ତେ ତାଙ୍କ ମୁହଁକୁ ଚାହିଁଲୁ । ସେ କିଛି ମାତ୍ର କଥା ନ କହି ଆମକୁ ଆସ୍ତେ ପଛକୁ ଟାଣିନେଲେ । ଚାରି ଛଅ ହାତ ପଛକୁ ଘୁଞ୍ଚିଯାଇ ତାଙ୍କ ଆଖିକୁ ଅନୁସରଣ କରି ଦେଖିଲୁ, ଠିକ୍‌ ଆମ ପାଦପାଖରେ ଚାରି ହାତ ପର୍ଯ୍ୟନ୍ତ ଲମ୍ବ ଗୋଟାଏ ସାଧା କାଳିଆ କାଠଗଡ଼ ପଡ଼ିଛି; ମାତ୍ର ତାହା ଯେ କାଠଗଡ଼ ନୁହେଁ, ଗୋଟିଏ ଜନ୍ତୁ; ସେ କଥା ଜାଣିବାକୁ ବେଶି ବିଳମ୍ବ ହେଲା ନାହିଁ–ନିଃଶ୍ୱାସ ପ୍ରଶ୍ୱାସ ନେବାଆଣିବା କରିବା ସଙ୍ଗେ ସଙ୍ଗେ ତାହା ଫୁଲୁଥାଏ ଓ କମୁଥାଏ । ଆମେ ସାପ ସମ୍ପର୍କରେ ବେଶି କିଛି ଜାଣି ନ ଥିଲେ ମଧ୍ୟ ସେ ଯେ ଗୋଟାଏ ଅଜଗର ସାପ, ତାହା ବୁଝିପାରିଲୁ; ମାତ୍ର ତା’ର ମୁହଁ ଓ ଲାଞ୍ଜ କୁଆଡ଼େ ଅଛି, ତାହା ଜାଣିପାରିଲୁ ନାହିଁ ।

 

ହାତେ ଚଉଡ଼ା ବାଟରେ କଡ଼କୁ ଲାଗି ଯେଉଁ ଗଛଗୁଡ଼ିକ ଅଛି, ତାହାରି ମୂଳରେ ବଣଭିତରକୁ ସେ ଶୋଇରହିଛି । ବୋଧହୁଏ ଶୀତଦିନର ସକାଳ ଖରା ତାକୁ ଆରାମ ଲାଗୁଛି । ପତ୍ରଗହଳି ଭିତର ଦେଇ ଯେ ଛାପଛାପିକିଆ ସୂର୍ଯ୍ୟକିରଣ ପଡ଼ୁଛି, ସେଥିରେ ତା’ ଦେହ ଚିକ୍‌ ଚିକ୍‌ କରୁଅଛି ।

 

ଆମେ ଯେତେବେଳେ ସେ ବାଟ ଦେଇ ଯାଉଥିଲୁ, ସେତେବେଳେ ଆମ ପାଦ ତା’ ଦେହଠାରୁ କେବଳ ଚାଖଣ୍ଡେ ମାତ୍ର ଦୂରରେ ରହିଥିଲା । ପଛକୁ ଘୁଞ୍ଚିଆସିବା ଫଳରେ ବର୍ତ୍ତମାନ କେବଳ ତିନି ଚାରି ହାତ ଦୂରରେ ଆମେ ରହିଛୁ ।

 

ଆମ ଭିତରେ ବିଚାର ପଡ଼ିଲା, କଅଣ କରିବା ? ବୁଢ଼ାମାନେ କହନ୍ତି, ସାପକୁ ପଛରେ ରଖି ଆଗକୁ ଯିବ ନାହିଁ । ତେଣୁ କେହି କେହି କହିଲେ, ‘‘ନା, ହ୍ରଦକୂଳକୁ ଆଉ ଯିବା ନାହିଁ; ଆସ ଏହିଠାରୁ ଫେରିବା ।’’ କେହି କହିଲା, ‘‘ସାପକୁ ମାରିବା, ତା’ପରେ ହ୍ରଦ ପାଖକୁ ଯିବା ।’’ କେହି ବା କେବଳ ଭୟରେ ଥରିବାକୁ ଲାଗିଲା । ଆମର ଏ ସବୁ କଥାବାର୍ତ୍ତା କେବଳ ଫୁସ୍‌ଫାସ୍‌ ବା ଇସାରାରେ ଚାଲିଥାଏ ।

 

ଏହି ଯୁକ୍ତିତର୍କରେ ଦଶ ପନ୍ଦର ମିନିଟ କଟିଗଲା । ତଥାପି ସର୍ପମହାରାଜ ନିଶ୍ଚିନ୍ତ ମନରେ ସେଠାରେ ସେହିପରି ଶୋଇଥାଏ । ସେ ହଲଚଲ ହେଉ ନ ଥିବାରୁ ତାକୁ ମାରିବାକୁ ଆମର ସାହସ ହେଲା । ମୂଲିଆଠାରୁ କଟୁରୀଟି ନେଇ ବଣରୁ କଣ୍ଟାବାଉଁଶ ଚାରିଖଣ୍ଡି କାଟିଲୁ । ସେଥିରୁ କଣିସବୁ ଝାଡ଼ିଦେଇ ଖୁବ୍‌ ସାହସର ସହିତ ପୁଣି ସାପ ପାଖକୁ ଆସିଲୁ ।

 

ସେହି ସମୟରେ ଜଣେ ବନ୍ଧୁ କହିଲେ, ‘‘ସାପକୁ ମାରିବା ତ ଠିକ୍‌; କିନ୍ତୁ ତା’ର ଚମଡ଼ା ଉପରେ ଯେପରି ଆଘାତ ନ ଲାଗେ । ପୁଣି ମୁଣ୍ଡରେ ପାହାର ନ ବସିଲେ ରକ୍ଷାନାହିଁ । ଆମ ପଛପଟେ ପିଠିକୁ ଲାଗି କଣ୍ଟାବାଉଁଶ ବୁଦା; ପଳାଇଯିବାର ଉପାୟ ନାହିଁ । ଯଦି ସାପ ଉଠିବ, ତେବେ ଆମେ ସାପ ଶିକାର କରିବା କଅଣ, ସାପ ଓଲଟି ଆମକୁ ଶିକାର କରିଦେବ ।

 

ବନ୍ଧୁବରଙ୍କ କଥାଟା ସତ; ମାତ୍ର ସାପର ମୁଣ୍ଡ କାହିଁ ଯେ, ଆମେ ତା’ ମୁଣ୍ଡରେ ପାହାର ବସାଇବୁ । ପୁଣି ଯେଉଁ ଅଂଶଟା ପଦାକୁ ଦିଶୁଛି, ସେଥିରୁ କେଉଁ ପାଖରେ ମୁଣ୍ଡ ଅଛି ଓ କେଉଁ ପାଖରେ ଲାଞ୍ଜ ଅଛି, ତାହା ବୁଝାପଡ଼ୁ ନାହିଁ । ମୁହଁ ଲାଞ୍ଜ ଉଭୟ ଜଙ୍ଗଲ ଭିତରେ ଅଦୃଶ୍ୟ ହୋଇଛି, କେବଳ ମଝି ଦେହଟି ଆମ ଆଖି ଆଗରେ ।

 

ଅନ୍ୟ କିଛି ଉପାୟ ନ ଦେଖି ଜଣେ ସାଙ୍ଗ ଗୋଟିଏ ଠେଙ୍ଗା ତା’ ପେଟତଳେ ପୂରାଇଦେଲେ । ଦୁଇ ଜଣ ଏକ ସଙ୍ଗରେ ଠେଙ୍ଗାଟି ଟେକିବାକୁ ଚେଷ୍ଟା କଲୁ । ଠେଙ୍ଗାଟି ତ ଆମେ ଟେକିପାରିଲୁ ନାହିଁ; କିନ୍ତୁ ସେତିକିବେଳେ ଦେଖିଲୁ, ଆମେ ଯେଉଁପାଖଟା ଲାଞ୍ଜ ବୋଲି ଅନୁମାନ କରୁଥିଲୁ, ସେହି ପାଖରୁ ମୁହଁ ଲେଉଟାଇ ସେ ତା’ ଦେହପାଖକୁ ଆଣୁଛି । ସେହି ସମୟରେ ଅନ୍ୟ ଜଣେ ବନ୍ଧୁ ମୁଣ୍ଡକୁ ଦେଖାଇ ଲାଗଲାଗ ଦୁଇ ଚାରିଟା ପାହାର ବସାଇଦେଲେ ।

 

ସେତେବେଳସରିକି ତା’ର ଗାଢ଼ ନିଦ ବୋଧହୁଏ ଭାଙ୍ଗିଗଲା, ସୁଖସ୍ୱପ୍ନ ଉଭେଇଗଲା । ମୁଣ୍ଡରେ ପାହାର ଉପରେ ପାହାର ବସିବାରୁ ସେ ଆଁ କରି ମୁଣ୍ଡଟି ଟେକିଦେଲା । ପାଟିର ଆକାର ଦେଖି ଆମ ଗୋଡ଼ ଥରିଉଠିଥିଲା ସତ, ତଥାପି ସମସ୍ତେ ମିଶି ପାହାର ଉପରେ ପାହାର ବସାଇବାରେ ହେଳା କରି ନ ଥିଲୁ । ପାଞ୍ଚ ଛ ଥର ପାହାର ପଡ଼ିବା ପରେ ସେ ତଳେ ମୁଣ୍ଡକୁ ପକାଇ ଦେଇଥିଲା; କିନ୍ତୁ ଏପରି ଭାବରେ ଭିଡ଼ିମୋଡ଼ି ହେଲା ଯେ, ତା’ ଦେହକୁ ଲାଗିଥିବା ଗଛ ଗୁଡ଼ାକ ଦୋହଲିଗଲା ।

 

ବହୁ ପାହାର ପରେ ସେ ନିସ୍ତେଜ ହୋଇପଡ଼ିଲା । ବଣରୁ ଲଟାସବୁ କାଟିଆଣି ଆମେ ଦଉଡ଼ା ବଳିଲୁ । ତା’ ମୁଣ୍ଡରେ ବାଉଁଶ ପକାଇ ଖଣ୍ଡଦୂରରେ ଦୁଇ ଜଣ ଠିଆହେଲେ; ଅନ୍ୟମାନେ ଦେହର ସାତ ଜାଗାରେ ଲଟା ଛନ୍ଦି ବାନ୍ଧିଦେଲେ । ସମସ୍ତେ ମିଶି ତାକୁ ପଦାକୁ ଟାଣିଲୁ । ଆମେ ଛଅଜଣ ପାରୁପର୍ଯ୍ୟନ୍ତ ପରିଶ୍ରମ କରି ମଧ୍ୟ ତାକୁ ପଦାକୁ ଆଣିପାରିଲୁ ନାହିଁ । ତା’ର ସର୍ବାଙ୍ଗ ଦେଖାଗଲା, କିନ୍ତୁ ଲାଞ୍ଜପାଖଟା ଆଦୌ ଆସିଲା ନାହିଁ । ଆମେ ସାପକୁ ଟାଣିବା ସାଙ୍ଗେ ସାଙ୍ଗେ ଗୋଟାଏ ସରୁ ଗଛ ଦୋହଲି ଯାଉଥାଏ ।

 

କଟୁରୀରେ କଣ୍ଟାବୁଦା ସଫା କରି ଉଙ୍କି ମାରି ବଣଭିତରକୁ ଚାହିଁଲୁ । ଦେଖିଲୁ, ସାପର ଲାଙ୍ଗୁଡ଼ଟି ଗୋଟିଏ ସରୁ କୋଚିଳା ଗଛ ଦେହରେ ଚାରି ପାଞ୍ଚ ପ୍ରସ୍ତ ଗୁଡ଼ାଇହୋଇ ରହିଛି, ସେଇଥିପାଇଁ ଯେତେ ଟାଣିଲେ ମଧ୍ୟ ତାହା ପଦାକୁ ଆସୁନାହିଁ ।

 

ଦୁଇ ଜଣ ଠେଙ୍ଗା ପୂରାଇ ଗଛରୁ ଲାଙ୍ଗୁଡ଼ର ବନ୍ଧନ ହୁଗୁଳା କଲେ । ପ୍ରାୟ ଅଧଘଣ୍ଟାଏ ପରିଶ୍ରମ ପରେ ତା’ର ସମସ୍ତ ଦେହ ଖୋଲା ଜାଗାକୁ ଆସିଲା । ସେ ପର୍ଯ୍ୟନ୍ତ ମଧ୍ୟ ସେ ମରି ନ ଥାଏ; ମାତ୍ର ଲଟାରେ ଏପରିଭାବରେ ଛନ୍ଦାଛନ୍ଦି ହୋଇ ବନ୍ଧା ହୋଇଥାଏ ଯେ, ଆଉ ହଲଚଲ ହେବାର ଯୁ ନ ଥାଏ ।

 

ରୁଷାଇ କଥା ସମସ୍ତେ ଭୁଲିଗଲୁ । ଭୋକ ମଧ୍ୟ ସମସ୍ତଙ୍କର ରହିଗଲାଣି । ଖୁସିମନରେ ଚାରିଜଣ ଲେଖାଏଁ ପାଳିକରି ତାକୁ କାନ୍ଧେଇ ବଣରୁ ବାହାରି ଆସିଲୁ । ବାରଙ୍ଗ ମୋଚିସାହି ସେଠାକୁ ପ୍ରାୟ ତିନି ମାଇଲ ଦୂର । ଆମେ ସିଧା ଆସି ମୋଚି ସାହିରେ ପହଞ୍ଚିଲୁ ଓ ସାପ ଦେହରୁ ଚମ ଉତାରି ଦେବାକୁ ଜଣକୁ ବରାଦ କଲୁ ।

 

ସାପଟିର ଲମ୍ବ ନଅ ହାତ ଓ ଗୋଲେଇ ବାର ଇଞ୍ଚ ଥିଲା । ତା’ ଦେହରୁ ଯେଉଁ ଚମ ବାହାରିଥିଲା, ସେଥିରେ ଆମ ଛଅ ଜଣ ସାଙ୍ଗଙ୍କର ଛଅ ହଳ ସୁନ୍ଦର କାବୁଲି ସାଣ୍ଡଲ ହୋଇଥିଲା ।

 

(୩)

 

ପଟିଆ ବଣଭିତରେ ଦଳେ ଲୋକ କଣ୍ଟା କାଟୁଥିଲେ । ନିବିଡ଼ଭାବରେ ଛନ୍ଦାଛନ୍ଦି ହୋଇଥିବା ବାଉଁଶବୁଦା ଉପରକୁ ସିଡ଼ିରେ ଚଢ଼ି ଦୁଇ ଜଣ କଣ୍ଟା କାଟି ତଳେ ପକାଉଥାଆନ୍ତି; ଆଉ ଦୁଇ ଜଣ ତଳେ ରହି ତାହା ସଜାଡ଼ି ବିଡ଼ା ବାନ୍ଧୁଥାଆନ୍ତି ।

 

ଯେଉଁ ଦୁଇ ଜଣ ଉପରେ ଚଢ଼ି କଣ୍ଟା କାଟୁଥିଲେ, ସେମାନଙ୍କୁ ହଠାତ୍‌ ଗର୍ଜନ ଶୁଣାଗଲା–ସୁଉସୁଉ । ସାପ ଗର୍ଜନ ସହିତ ସେମାନେ ପରିଚିତ । କେଉଁଠାରୁ ସେ ଗର୍ଜନ ଆସୁଛି ଓ କି ସାପ ଗର୍ଜନ କରୁଛି, ତାହା ଦେଖିବାପାଇଁ ଦୁହେଁଯାକ ଏକ ସମୟରେ ଏଣେତେଣେ ଆଖି ବୁଲାଇଲେ । ସେମାନଙ୍କ ମଧ୍ୟରୁ ଜଣେ ସାପକୁ ଦେଖିଦେବା ମାତ୍ରକେ ଏପରି ଭୟ ପାଇଗଲା ଯେ, ସିଡ଼ିରୁ ସାଙ୍ଗେ ସାଙ୍ଗେ ତଳେ ଖସିପଡ଼ିଲା । କଣ୍ଟାଝଣ୍ଟାରେ ତା’ର ସର୍ବାଙ୍ଗ ଖଣ୍ଡିଆ ଓ ଲହୁଲୁହାଣ ହୋଇଗଲା । ତଳେ ଥିବା ଦୁଇ ଜଣ ତାକୁ ଟେକି ଧରାଧରି କରି ପଦାକୁ ଆଣିଲେ ।

 

ଦ୍ୱିତୀୟ ବ୍ୟକ୍ତି ସେପର୍ଯ୍ୟନ୍ତ ସାପକୁ ଦେଖି ନ ଥାଏ; ମାତ୍ର ଗର୍ଜନ ପୂର୍ବ ପରି ଶୁଣୁଥାଏ । ସେ ସାଙ୍ଗର ଏ ଅବସ୍ଥା ଦେଖି ଆଉ ସେଠାରେ ନ ରହି ତଳକୁ ଓହ୍ଲାଇ ଆସିଲା । ହଠାତ୍‌ ତା’ର ଆଖି ପଡ଼ିଗଲା, କଣ୍ଟାବୁଦା ମଝିରେ ଡାଳପତ୍ର ଛନ୍ଦିହୋଇ ଗୋଟିଏ ପ୍ରଶସ୍ତ ଜାଗା ରହିଛି । ତା’ ଉପରେ ସାପ ଦେହର କେତେକ ଅଂଶ ମାତ୍ର ଦେଖାଯାଉଛି । ତା’ ମୁହଁ ଯେ କୁଆଡ଼େ, ତାହା ସେ ବୁଝିପାରିଲା ନାହିଁ; ଗର୍ଜନ କିନ୍ତୁ ପାଖରେ ଶୁଣାଯାଉ ନ ଥିଲା । ଲୋକଟି ମନେ କଲା, ଯେଉଁ ସାପ ଗର୍ଜନ କରୁଛି, ଏ ସେ ସାପ ନୁହେଁ । ତଥାପି ଗଛରୁ ଓହ୍ଲାଇ ଆସିଲା ।

 

ବଣରେ ସାପଟିଏ ଦେଖିଲେ ସେଠାର ଲୋକେ କେଳାମାନଙ୍କୁ ଖବର ଦିଅନ୍ତି । ସେ ଲୋକଟି ମଧ୍ୟ ଆସି ଖବର ଦେଲା । ଗୋଟିଏ ଯୁଆନ କେଳା ସାପ କଥା ଶୁଣି ସାଙ୍ଗେ ସାଙ୍ଗେ ତାକୁ ଧରିବାକୁ ବାହାରି ପଡ଼ିଲା । ତାହାର ନାମ ଘନ ।

 

କଣ୍ଟା କାଟୁଥିବା ଲୋକେ ତାକୁ ବାଟ ଦେଖାଇଦେବାକୁ ତା’ ସାଙ୍ଗରେ ଗଲେ । ଘନ ସିଡ଼ିରେ ଚଢ଼ି କଣ୍ଟାବୁଦା ଉପରକୁ ଗଲା । ସେତେବେଳକୁ ଗର୍ଜନ ଆଉ ଶୁଣାଯାଉ ନ ଥାଏ । ମାତ୍ର କେଳାମାନେ ସାପଙ୍କ ରହିବା ସ୍ଥାନ, ସେମାନଙ୍କ ଚଳାଚଳ ଆଦି ସମ୍ପର୍କରେ ବହୁତ କଥା ଜାଣନ୍ତି । ଗନ୍ଧ ବାରି ଘନ ଜାଣିଗଲା ଯେ, ଏହି ଗଛରେ ଗୋଟାଏ ସାପ ନିଶ୍ଚୟ ରହିଛି ।

 

ବେଶି ସମୟ ତାକୁ ଆଖି ବୁଲାଇବାକୁ ପଡ଼ିଲା ନାହିଁ । ଗୋଟିଏ ସରୁ ଡାଳରେ ଠିଆ ହୋଇ ସେ ବାଁ ପାଖକୁ ଚାହିଁଦେଲା ମାତ୍ରକେ ସାପଟିକୁ ଦେଖିପାରିଲା । ସାଙ୍ଗେସାଙ୍ଗେ ବାଁ ହାତ ବଢ଼ାଇ ତା’ର ସରୁ ଲାଙ୍ଗୁଡ଼କୁ ଟାଣି ଆଣିଲା । ବାମ ହାତର ଆଙ୍ଗୁଠି ସନ୍ଧି ଭିତରେ ଦୁଇ ଚାରିଥର ସେ ଲାଙ୍ଗୁଡ଼କୁ ଗୁଡ଼ାଇ ଏପରି ଜୋରରେ ମୁଠାଇ ଧଇଲା ଯେ, ସେ ମୁଠାରୁ ସାପ ଖସିଯିବାର ଉପାୟ ନାହିଁ । ସେପର୍ଯ୍ୟନ୍ତ ମଧ୍ୟ ସାପଟି ହଲଚଲ ହେଉ ନ ଥାଏ ।

 

ଘନ ଏଣେ ଗୋଡ଼କୁ ଦୃଢ଼ଭାବରେ ଡାଳରେ ରଖି ସାପକୁ ଟାଣିବାକୁ ଲାଗିଲା । ତା’ର ସମସ୍ତ ଜୋର ସେ ଖଟାଇଲା; ତଥାପି ସାପ ଆସିଲା ନାହିଁ । ବରଂ ସେ ଜାଣିପାରିଲା ଯେ, ସାପ କ୍ରମେ ଭିତରକୁ ଚାଲିଯିବାକୁ ଚେଷ୍ଟା କରୁଛି । ସାପ ଟାଣିବାରେ ସେ ବରଂ ଘୋଷାରି ହୋଇଯାଉଛି; କିନ୍ତୁ ସାପକୁ ନିଜ ଆଡ଼କୁ ଆଣିପାରୁ ନାହିଁ ।

 

ବହୁ ସମୟ ଏହିପରି ଟଣାଓଟରାରେ ସେ ଟିକିଏ କ୍ଳାନ୍ତ ହୋଇପଡ଼ିଲା; ତଥାପି ସାପଲାଙ୍ଗୁଡ଼ରୁ ତା’ର ବଜ୍ରମୁଷ୍ଠି ହୁଗୁଳା ହେଉ ନଥାଏ । ସାପର କେବଳ ପଛପଟ ଚାରି ହାତ ପର୍ଯ୍ୟନ୍ତ ଦେଖାଯାଉଛି । ମୁହଁପାଖ କଣ୍ଟାଝାଟି ଭିତରେ କେଉଁଠି ଯେ ରହିଛି, ତାହା ଜାଣିବାର ଉପାୟ ନାହିଁ ।

 

ବୋଧହୁଏ ଅହିରାଜ ଏପର୍ଯ୍ୟନ୍ତ ଜାଣି ନ ଥିଲା ଯେ, ସେ କାହା କବଳରେ ପଡ଼ିଛି । ଲାଞ୍ଜଟା କେଉଁଠି ଅଟକି ଯାଇଛି, ଏହା ଭାବି ସେ ଟାଣୁଥିଲା; ମାତ୍ର କିନ୍ତୁ ଯେତେବେଳେ ଲାଞ୍ଜ ଯେତେ ଟାଣିଲେ ମଧ୍ୟ ଗଲା ନାହିଁ, ସେତେବେଳେ ଅବସ୍ଥା କଅଣ ଦେଖିବାପାଇଁ ସେ ମୁହଁ ବୁଲାଇଲା । ଯେଉଁକ୍ଷଣି ଦେଖିଲା ଯେ, ସାମାନ୍ୟ ସାଢ଼େ ତିନି ହାତ ଲମ୍ବର ଗୋଟାଏ ମଣିଷ ତାକୁ ଧରିଛି, ସେତେବେଳେ ତା’ଠାରୁ ଚାରି ଗୁଣ ବଡ଼ ଜନ୍ତୁର ରାଗ ବା ନ ହେବ କାହିଁକି ?

 

ଅହିରାଜ ଭୀଷଣ ଗର୍ଜନକରି ଫଣା ଟେକିଦେଲା । ସେତେବେଳେ ସେ ଏତେ ଉଚ୍ଚ ହୋଇଗଲା ଯେ, ଘନର ମୁଣ୍ଡଠାରୁ ହାତକ ଉପରେ ତା’ ଫଣା ରହିଲା । ଫଣାଟା ଯେତେ ଚଉଡ଼ା ଦେଖାଗଲା, ସେଥିରେ ଗୋଟାଏ ମଣିଷର ମୁଣ୍ଡ ଅକ୍ଳେଶରେ ଖରାବର୍ଷାରୁ ରକ୍ଷାପାଇବ ।

 

ଅହିରାଜଙ୍କର ସ୍ୱଭାବ, ପ୍ରଥମେ ସେମାନେ ତାଳୁ ଉପରେ ହିଁ ଆଘାତ କରନ୍ତି । ସେ ଫଣା ଏଡ଼େ ଟାଣ ଯେ, ଥରେ ଆଘାତ କଲେ ତାଳୁ ନିଶ୍ଚୟ ଫୁଟିଯିବ ।

 

ସେ ସେହିପରି ଘନର ତାଳୁକୁ ଆଘାତ କରିବାକୁ ଧାଇଁଆସିଲା; ମାତ୍ର ଆଖି ପିଛଡ଼ାକେ ଘନ ତା’ର ଡାହାଣ ହାତ ଉପରକୁ ଟେକି ସାପ ବେକକୁ ବଡ଼ ଜୋରରେ ମୁଠାଇ ଧରିଲା । ସାପ ଆଉ ଚୋଟ ପକାଇ ପାରିଲା ନାହିଁ । ବାମ ହାତରେ ଲାଞ୍ଜ, ଖାଇବା ହାତରେ ମୁହଁ । ସାପ ଅନ୍ୟ ଉପାୟ ନ ଦେଖି ତା’ର ଦେହକୁ ଘନ ଦେହରେ ଗୁଡ଼ାଇବାକୁ ଚେଷ୍ଟାକଲା; ମାତ୍ର ଲାଞ୍ଜ ଆଗରୁ ଅକ୍‌ତିଆରରେ ରହିଥିଲା; ସେ ଗୁଡ଼ାଇ ହୋଇ ପାରିଲା ନାହିଁ । ତା’ ଦେହର ମଝିଭାଗରେ ଘନର ଦୁଇ ହାତକୁ ଏତେ ଜୋରରେ ପିଟିଲା ଯେ, ବାମ ହାତର ଚମ ଓ ମାଂସ ଫାଟି ରକ୍ତ ବାହାରିଲା । ତଥାପି ସେ ଦୁଇ ହାତର ମୁଠା କୋହଳ କରୁ ନ ଥାଏ । ହାତମୁଠା ଟିକିଏ ମାତ୍ର ଫିଟିଗଲେ ଅବସ୍ଥା କଅଣ ହେବ, ସେକଥା ତାକୁ ଭଲରୂପେ ଜଣାଥାଏ ।

 

ଗଛଉପରେ ପ୍ରାୟ ଅଧଘଣ୍ଟାଏ ଯାଏ ସାପ ସହିତ ତା’ର ଧସ୍ତାଧସ୍ତି ଲାଗିଲା । ଦୁଇ ହାତକୁ ଦୁଇ ଦିଗରେ ଯଥାସାଧ୍ୟ ଲମ୍ବାଇ ସେ ଗଛ ଉପରୁ ଆସ୍ତେ ଓହ୍ଲାଇ ତଳକୁ ଆସିଲା । ଲାଞ୍ଜଉପରେ ଗୋଟାଏ ଲମ୍ବା ବାଉଁଶ ପକାଇ ଦୁଇ ପାଖରେ ଦୁଇ ଜଣ ମାଡ଼ି ବସିବାକୁ ନିର୍ଦ୍ଦେଶ ଦେଲା । ଯେଉଁମାନେ ତାକୁ ସାପ ଦେଖାଇ ଦେଇଥିଲେ, ସେହିମାନେ ବାଉଁଶ ପକାଇ ମାଡ଼ିବସିବାରୁ ସେ ବାମ ହାତ ମୁଠା ଫିଟାଇଲା । ଡାହାଣ ହାତ ମୁଠା ଭିତରେ ସାପ ମୁହଁ ସେହିପରି ରହିଥାଏ ।

 

ଘନ ଅଣ୍ଟାରୁ ଛୁରି ବାହାରକରି ସାପର ପାଟି ଭିତରେ ପୂରାଇଲା ଏବଂ ତା’ର ବିଷଦାନ୍ତଗୁଡ଼ିକ ଆଗ ଭାଙ୍ଗି ଦେଲା । କେଳାମାନେ ସାପର ବିଷଦାନ୍ତ ଚିହ୍ନନ୍ତି । ବିଷଦାନ୍ତ ଭାଙ୍ଗିଦେଲା ପରେ ସାପ କାମୁଡ଼ିବ ସତ; ମାତ୍ର ମଣିଷ ଆଉ ସାଙ୍ଗେସାଙ୍ଗେ ମରିଯିବ ନାହିଁ । ସେଇଥିପାଇଁ ସେମାନେ ପ୍ରଥମେ ସାପର ବିଷଦାନ୍ତ ଝାଡ଼ିଦିଅନ୍ତି ଓ ଦାନ୍ତମାଢ଼ିକୁ ଚିରି ସେଥିରୁ ବିଷ କୋରିପକାନ୍ତି । ଏହି କାମରେ ଯେ ସେମାନଙ୍କୁ ଅତି ବେଶି କଷ୍ଟ ଓ ପରିଶ୍ରମ କରିବାକୁ ପଡ଼େ, ଏହା ଜଣାଶୁଣା ।

 

ସେହି ଅହିରାଜର ଲମ୍ବ ଥିଲା ଚଉଦ ହାତ । ତାକୁ ପ୍ରଥମେ ଲଟା ଦଉଡ଼ାରେ ବାନ୍ଧି ଘନ ଗାମୁଛାରେ ପୁଡ଼ା କଲା । ଦୁଇ ଜଣ ଲୋକ ଭାର କରି ଘରକୁ ଆଣିଲେ ।

 

ବହୁ ବର୍ଷ ପର୍ଯ୍ୟନ୍ତ ଘନ ସେ ସାପକୁ ନିଜ ପେଡ଼ି ଭିତରେ ବନ୍ଦି କରି ରଖିଥିଲା । ଗାଁ ଗାଁ ବୁଲି ଖେଳ ଦେଖାଇ ପଇସା ରୋଜଗାର କରୁଥିଲା ।

 

(୪)

 

ସାପୁଆକେଳାମାନେ ଅଜଗର ସାପ ଧରନ୍ତି ନାହିଁ । ତା’ର କାରଣ, ଅଜଗରର ଆକାର ଖୁବ୍‌ ବଡ଼ ଓ ତାହା ବହୁତ ଭାରି । ଏତେ ଭାରି ଜିନିଷ ବୁହାଇ ଗାଁ ଗାଁ ବୁଲିବା ସହଜ ନୁହେଁ । ଆଉ ମଧ୍ୟ ସେ ଖାଏ ବହୁତ ବେଶି; ତା’ ପାଇଁ ଖାଦ୍ୟ ଯୋଗାଇବା ବଡ଼ କାଠିକର ପାଠ । ଅଜଗରର ଫଣା ନାହିଁ କି ସେ ଅହିରାଜ ପ୍ରଭୃତି ବିଷଧର ସର୍ପପରି ଖେଳେ ନାହିଁ । ତେଣୁ ତାହାଦ୍ୱାରା ବେଶି ପଇସା ରୋଜଗାର ହେବ ନାହିଁ ।

 

ମାତ୍ର ଦଳେ କେଳା ଥରେ ଗୋଟିଏ ଅଜଗରକୁ ଧରିଥିଲେ । ସେମାନେ ଦଳ ବାନ୍ଧି ବଣଭିତରେ ବୁଲି ସାପ ଖୋଜୁଥିଲେ । ଗୋଟାଏ ପ୍ରକାଣ୍ଡକାୟ ଅଜଗରର ସନ୍ଧାନ ପାଇଲେ । ସେଇଟା ଏତେ ବଡ଼ ଯେ, ସବୁ ଦିନ ସାପ କାରବାର କରୁଥିବା କେଳାମାନେ ମଧ୍ୟ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ ମନେକଲେ, ଏ ବିରାଟ ଜନ୍ତୁକୁ ଦେଖାଇଲେ, ଲୋକେ ବହୁତ ପଇସା ଦେବେ ।

 

ସମସ୍ତେ ମିଳିମିଶି ତାକୁ ଅକ୍‌ତିଆର କଲେ । ମୁଣ୍ଡ ଓ ଲାଞ୍ଜ ପାଖରେ ଦୁଇଟା ମୋଟା ବାଉଁଶ ପକାଇ ଆଠ ଜଣ ଲେଖାଏଁ ମାଡ଼ି ବସିଲେ । ବାକି ଚାରିଜଣ ବଣରୁ ବେତ କାଟି ଆଣି ଚିରି ଦଉଡ଼ା କଲେ । ସେହି ଦଉଡ଼ାକୁ ପ୍ରତି ଚାଖଣ୍ଡକ ଅନ୍ତରରେ ତା’ ଦେହରେ ବାନ୍ଧିଲେ । ମୁଣ୍ଡଠାରୁ ଲାଞ୍ଜଯାଏ ଗଣି ଗଣି ଷୋଳଗୋଟି ଗଣ୍ଠି ପକାଇ କେଳାମାନେ ମନେ କଲେ, ସାପଟି ପୂରା ଅକ୍‌ତିଆରରେ ରହିଲା । ସମସ୍ତେ ଧରାଧରି କରି ଟେକି ତାକୁ ଗୋଟାଏ ବଡ଼ ସିନ୍ଦୁକରେ ପୂରାଇଲେ ।

 

ବଣର ଅଳ୍ପ ଦୂରରେ ନଈ । ନଈ ଆର ପାଖରେ ସେଦିନ ଗୋଟିଏ ମେଳା ବସିଥାଏ । କେଳାମାନେ ନାଆରେ ସିନ୍ଦୁକ ଲଦି ସେଠାକୁ ଆଣିଲେ । ସମସ୍ତେ ଦେଖିବାପାଇଁ ସିନ୍ଦୁକରୁ ବାହାର କରି ସାପଟିକୁ ତଳେ ଶୁଆଇଦେଲେ । ଏ ବିରାଟକାୟ ସାପକୁ ଦେଖିବାଲାଗି ମେଳାର ହଜାର ହଜାର ଲୋକ ଆସି ଚାରିଆଡ଼ ଘେରିଗଲେ । ଖଣ୍ଡଦୂରରେ ନଈ କୂଳରେ ଗୋଟିଏ କେଳା ବସି ବଂଶୀ ବଜାଇଲା ।

 

ସାପଟା ଟିକିଏ ହଲଚଲ ହେଲେ କି କଡ଼ ଲେଉଟାଇଲେ ଲୋକେ ବେଶି ପଇସା ଦେବେ; ସେହି ଆଶାରେ କେଳାମାନେ ତାକୁ ଖୁବ୍‍ କେଞ୍ଚା କେଞ୍ଚି କଲେ । ମାତ୍ର ପ୍ରଥମେ କିଛି ସମୟ ସାପ ସେହିପରି ଅଚଳ ହୋଇ ପଡ଼ିରହିଲା । କେତେଥର ଠେଲାଠେଲି କଲାପରେ ଏବଂ ଜଳନ୍ତା ନିଆଁ ଦେହରେ ଲଗାଇବାରୁ ସାପ ତେଜିଉଠିଲା । ସେ ଅଳ୍ପ ମୁଣ୍ଡ ଟେକି ଫଅଁ ଫଅଁ ହେଲାମାତ୍ରକେ ତା’ ଦେହ ଫୁଲିବାକୁ ଲାଗିଲା ଏବଂ ସାଙ୍ଗେସାଙ୍ଗେ ଦେହରେ ବନ୍ଧା ହୋଇଥିବା ବେତର ଗଣ୍ଠି ସବୁ ଟକ୍‌ଟାକ୍‌ ଛିଡ଼ିଗଲା । ସେତେବେଳେ ଦେଖାଗଲା, ସାପ ଫୁଲି ପୂର୍ବ ଅବସ୍ଥାର ଦୁଇ ଗୁଣ ମୋଟା ହୋଇଯାଇଛି ।

 

ଏପର୍ଯ୍ୟନ୍ତ ସେ ମଡ଼ା ପରି ପଡ଼ି ରହିଥିଲା । ସବୁ ଗଣ୍ଠି ଛିଡ଼ିଯିବାରୁ ତା’ର ମୂର୍ତ୍ତି ବଦଳିଗଲା । ସେ ଦେହ ଫୁଲାଇବାରୁ ଏବଂ ଲାଞ୍ଜ ତଳେ ପିଟିବା ଭାବଭଙ୍ଗୀରୁ ଲୋକେ ଭୟ ପାଇ ଦୂରକୁ ଘୁଞ୍ଚିଗଲେ । ସାପୁଆମାନେ ଯେ ଡରିଯାଇ ନଥିଲେ, ତା’ ନୁହେଁ । ତଥାପି ସେମାନେ ତାକୁ ସିନ୍ଦୁକ ଭିତରେ ବନ୍ଦୀ କରିବାକୁ କେତେପ୍ରକାର ଚେଷ୍ଟାକଲେ; ମାତ୍ର ସାପ କୌଣସି ବାଧାବିଘ୍ନକୁ ଖାତିର୍‌ ନ କରି ଏତେ ଜୋରରେ ଗୋଡ଼ାଇଲା ଯେ, ଜମା ହୋଇଥିବା ଲୋକେ ପ୍ରାଣଭୟରେ ପଳାଇଲେ । ସାପଟି ତୀରବେଗରେ ସେଠାରୁ ନଈଆଡ଼କୁ ଧାଇଁଲା । ବଂଶୀ ବଜାଉଥିବା ଲୋକଟିକୁ ପାଟିରେ ପୂରାଇ ଏକାବେଳକେ ଯାଇ ପାଣି ଭିତରେ ପଡ଼ିଲା । ମେଳାଯାକର ଲୋକେ ଏ ଘଟଣାରେ ବଡ଼ ହଡ଼ବଡ଼େଇ ଯାଇଥିଲେ । ପରେ ଟିକିଏ ଆଶ୍ୱସ୍ତ ହୋଇ କେତେକ ଶିକାରୀ ବନ୍ଧୁକ ଆଣି ଆସିଲାବେଳକୁ ନଈପାଣି ଭିତରେ ସାପ କୁଆଡ଼େ ଅଦୃଶ୍ୟ ହୋଇଗଲାଣି ।

 

(୫)

 

ଜଙ୍ଗଲ ଭିତରେ ଡାକବଙ୍ଗଳା । ସାଧାରଣତଃ ଜଙ୍ଗଲ ବିଭାଗ ହାକିମ କେହି ଆସିଲେ ଏଠାରେ ଦିନେ ଦୁଇ ଦିନ ରହନ୍ତି । ଆଉ ମଧ୍ୟ ଯେଉଁ ମହାଜନ ବ୍ୟବସାୟୀମାନେ ଜଙ୍ଗଲର କାଠ ପ୍ରଭୃତି ନିଲାମ ଧରିବାକୁ ଆସନ୍ତି, ସେମାନେ ମଧ୍ୟ ଏଠାରେ ଆଶ୍ରା ନେଇଥାନ୍ତି ।

 

ଥରେ ଜଣେ ମହାଜନ ସେ ଡାକବଙ୍ଗଳାରେ ରାତି କଟାଇବାକୁ ବାଧ୍ୟ ହୋଇଥିଲେ । ତାଙ୍କ ପାଖରେ ଦୁଇ ହଜାର ଟଙ୍କା ରହିଥାଏ । ସାଙ୍ଗରେ ଯେଉଁ ଗୁମାସ୍ତା ଆସିବାର କଥା, ସେ ଆସି ଏପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି । ମହାଜନ ଏକାକୀ ଆଉ ବେଶି ଦୂରକୁ ନ ଯାଇ ସେହି ଡାକବଙ୍ଗଳାରେ ରାତିଟି ରହିବେ ବୋଲି ଠିକ୍‌ କଲେ ।

 

ଶୀତଦିନ । ମହାଜନ ଖାଇପିଇ ଶୋଇବା ଘର ଖଟ ଉପରେ ଶୋଇଲେ । ଦୁଇଟା ଅତି ମୋଟା କମ୍ବଳ ଦେହରେ ଘୋଡ଼ାଇ ହୋଇଥାନ୍ତି । ଟଙ୍କା ନୋଟତକ ପୁଡ଼ାକରି ମୁଣ୍ଡତଳେ ଖୁବ୍‌ ସାବଧାନରେ ରଖିଥାଆନ୍ତି । ଦିନଯାକ ଯଥେଷ୍ଟ ପରିଶ୍ରମ କରିବାକୁ ପଡ଼ିଥିଲା; ସାଙ୍ଗେସାଙ୍ଗେ ଗାଢ଼ ନିଦ ଆସିଗଲା ।

 

ରାତି ଅଧରେ ଗୋଟାଏ ଚିତ୍କାର ଶୁଣି ହଠାତ୍‌ ମହାଜନଙ୍କ ନିଦ ଭାଙ୍ଗିଗଲା । ସେ ଉଠିପଡ଼ି ଆଗ ଆଲୁଅ ଲଗାଇଦେଲେ । ଦେଖିଲେ, ଘରଭିତରେ ଜଣେ ଲୋକ ଠିଆ ହୋଇ ଗୋଟାସୁଦ୍ଧା ଥରୁଅଛି । ମହାଜନ ଉଠିପଡ଼ିବାରୁ ସେ ଡାକ ପକାଇଲା ‘‘ସାପ’’ ।

 

ମହାଜନ ବିଛଣାରୁ ଉଠିଆସିବାକୁ ଚେଷ୍ଟାକଲେ । ମାତ୍ର ଜଣାଗଲା, ତାଙ୍କ ଗୋଡ଼ଉପରେ ଯେପରି ମହଣେ ଓଜନର କଅଣ ଭାରି ଜିନିଷ ଲଦା ହୋଇଛି । ସେ ମୁହଁ ଟେକି ଚାହିଁଲେ, କମଳଉପରେ ଗୋଟାଏ ମସ୍ତବଡ଼ ସାପ ଗୁଡ଼େଇ ହୋଇ ଶୋଇରହିଛି । ସେ ଭୟରେ ଚମକି ଉଠିଲେ । ଆସ୍ତେ ଦୁଇ ହାତରେ କମଳଟାକୁ ଏକାଠି ଗୁଡ଼ାଇ ପୁଡ଼ା କରିଦେଲେ ।

 

ମହାଜନ ଗୋଟାଏ ଶତ୍ରୁକୁ ଅକ୍‌ତିଆର କଲେ । ଆଗରେ ଆଉ ଗୋଟାଏ ଶତ୍ରୁ–ସେ ଲୋକ । ସେ ଲୋକଟି ତାଙ୍କ ଗୁମାସ୍ତା । ମହାଜନଙ୍କୁ ଆଗ ପଠାଇଦେଇ ପରେ ଆସିବ ବୋଲି କହିଥିଲା । ମାତ୍ର ସେ ଭାବିଥିଲା, ରାତିରେ ତ ମହାଜନ ଡାକବଙ୍ଗଳାରେ ରହିବେ । ସେ ସେତେବେଳେ ଯାଇ ଟଙ୍କାତକ ଚୋରାଇ ଆଣିବ । ଦରକାର ପଡ଼ିଲେ ମହାଜନଙ୍କୁ ଖୁଣ କରିବା ପାଇଁ ମଧ୍ୟ ହାତରେ ଛୁରି ନେଇଥିଲା । ଟଙ୍କାତକ ହାତ କରି ଆଣି ଲୁଚାଇ ରଖିଥାଆନ୍ତା; ପୁଣି ପରଦିନ ସକାଳେ ଯାଇ ମହାଜନଙ୍କୁ ଭେଟିଥାଆନ୍ତା । ମହାଜନ ଜାଣିଥାଆନ୍ତେ ଯେ, ତାଙ୍କ ଟଙ୍କାତକ କାଲି ରାତିରେ ଡକାଏତମାନେ ହରଣଚାଳ କରି ନେଇଗଲେ । ଗୁମାସ୍ତାଟି ତାଙ୍କର ସାଧୁ, ଭଲଲୋକ । ଗୁମାସ୍ତା ମଧ୍ୟ ମହାଜନଙ୍କ ସାଙ୍ଗରେ ମିଶି ଟଙ୍କା ଚୋରି ଯାଇଥିବାରୁ କେତେ ହା ହୁତାଶ କରିଥାନ୍ତା ।

 

ମହାଜନ ଶୋଇଲା ପରେ ଗୋଟାଏ ମସ୍ତ ବଡ଼ ସାପ କେତେବେଳେ ଆସି ଘରେ ପଶିଛି । ବୋଧହୁଏ ଥଣ୍ଡାରୁ ରକ୍ଷା ପାଇବା ପାଇଁ କମଳ ଉପରେ ଯାଇ ନିଶ୍ଚିନ୍ତରେ ଶୋଇରହିଛି । ମହାଜନଙ୍କୁ ତ ଗାଢ଼ ନିଦ, ସେ ବା ଜାଣିବେ କିପରି ?

 

ଗୁମାସ୍ତା ଟଙ୍କା ହାତ କରିବା ଉଦ୍ଦେଶ୍ୟରେ ସେ ଘରେ ପଶିଲା; ମାତ୍ର ଘୋର ଅନ୍ଧାର, କିଛି ଦିଶୁ ନ ଥାଏ । ସେ ଅନୁମାନ କରି ଖଟଉପରେ ହାତ ବୁଲାଇ ଟଙ୍କା ଅଣ୍ଡାଳିଲା । ସାପ ଉପରେ ହାତ ପଡ଼ିଯିବାରୁ ସେ ଫଁ କରିଉଠିଲା । ଶବ୍ଦ ଶୁଣି ଗୁମାସ୍ତା ଚମକି ପଡ଼ିଲା । ତା’ ଅଜାଣତରେ ପେଡ଼ିରୁ ବାହାରି ପଡ଼ିଲା ‘ସାପ’ । ସେହି ଶବ୍ଦରେ ମହାଜନଙ୍କ ନିଦ ଭାଙ୍ଗି ଯାଇଥିଲା-

 

ଗୁମାସ୍ତାର ସବୁ ଫିକର ପରେ ଧରାପଡ଼ିଲା । ସାପ ଲାଗି ମହାଜନଙ୍କ ଟଙ୍କା, ଏପରି କି ଜୀବନ ମଧ୍ୟ ରକ୍ଷା ପାଇଗଲା ।

 

ଗୁମାସ୍ତାକୁ ପୁଲିସ ହାତରେ ଦିଆଗଲା । ଅନ୍ୟମାନେ ସାପକୁ ମାରିଦେବାପାଇଁ କହୁଥିଲେ; ମାତ୍ର ମହାଜନ ତାକୁ ନିବିଡ଼ ବଣଭିତରେ ଛାଡ଼ିଦେବାକୁ ବରାଦ କଲେ ।

 

(୬)

 

ବଣଭିତରେ ବାଘର ଅନ୍ୟ କାହାକୁ ବିଶେଷ ଭୟ ନ ଥାଏ; ତା’ର କେବଳ ଭୟ ସାପକୁ । ଯେଉଁଠାରେ ସାପ ଥିବାର ଦେଖାଯାଏ, ବାଘ ସେ ଅଞ୍ଚଳ ଛାଡ଼ି ପଳାଏ ।

 

ଥରେ ଦଳେ ଶିକାରୀ ବାଘ ଶିକାର କରିବାକୁ ବଣକୁ ଯାଇଥିଲେ । ବାଘ ଶିକାର କରିବା ପୂର୍ବରୁ ବାଘ ଆସି ତାଙ୍କ ଭିତରୁ ଜଣକୁ ଶିକାର କରି ନେଇଗଲା । ଶିକାରୀମାନଙ୍କ ମଧ୍ୟରେ ଭାଳେଣି ପଡ଼ିଗଲା । ସେମାନେ ଖୁବ୍‌ ସାବଧାନରେ ବଣ ଭିତରେ ବୁଲି ବାଘର ରହିବା ସ୍ଥାନ ଖୋଜିଲେ ।

 

ଗୋଟିଏ ବଡ଼ ବୁଦା ମଝିରେ ବାଘର ସନ୍ଧାନ ମିଳିଲା ।

 

ଉପରେ ଗୋଟାଏ ଝଙ୍କାଳିଆ ଗଛ । ଚାରି କଡ଼ଯାକ ନିଘଞ୍ଚ ବୁଦା । ମଝିଟା ଠିକ୍‌ ଗୋଟିଏ କୁଞ୍ଜପରି ଦେଖା ଯାଉଥାଏ । ବାଘ ତା’ ଭିତରେ ନିଶ୍ଚିନ୍ତରେ ରହି ଶିକାରୀଙ୍କ ମଧ୍ୟରୁ ନେଇଥିବା ମଣିଷଟିକୁ ଖାଉଥାଏ ।

 

ଶିକାରୀମାନେ ତା’ର ସନ୍ଧାନ ପାଇଲେ; ମାତ୍ର ତାକୁ ମାରିବେ କିପରି ? ମସ୍ତ ବଡ଼ ମଣିଷଖିଆ ମହାବଳ ବାଘ–ଭାରି ଚତୁର । ସେଥିରେ ପୁଣି ଚାରିଆଡ଼େ କଣ୍ଟାବୁଦା ଥିବାରୁ ବନ୍ଧୁକ ମାରିବାର ସୁବିଧା ନାହିଁ । ଏଣେ ଶିକାରୀମାନଙ୍କ ମନରେ ମଧ୍ୟ ଟିକିଏ ଭୟ ଓ ଦୁର୍ବଳତା ଆସି ଯାଇଥାଏ ।

 

ବୁଦା ଆର ପାଖକୁ ଯେ ମଣିଷ ଆସିଗଲେଣି, ବୋଧହୁଏ ବାଘ ତାହା ଜାଣିପାରିଲା । ସେ ଖାଇବା ଜାଗାରୁ ଉଠି ଦେହଟାକୁ ଝାଡ଼ି ଫୁଲାଇଦେଲା । ଗୋଟାଏ ହୁଙ୍କାର ଛାଡ଼ି କୁଦା ମାରିବାର ଉଦ୍ୟମ କଲା । ତା’ର ତେଜ ଦେଖି ଶିକାରୀମାନେ ପ୍ରାଣଭୟରେ ଥରିବାକୁ ଲାଗିଲେ ।

 

ଗୋଟାଏ ବଡ଼ ଅହିରାଜ ସାପ ଗଛଉପରୁ କେତେବେଳୁ ବାଘକୁ ଚାହିଁ ରହିଥିଲା । ବାଘ ତଳେ ନିଶ୍ଚିନ୍ତ ମନରେ ତା’ ଶିକାର ଖାଉଥିବାବେଳେ, ସାପ ବାଘକୁ କିପରି ଶିକାର କରିବ, ସେ ସୁଯୋଗ ଉଣ୍ଡୁଥିଲା । ବାଘ ଆଉ ତା’ର ଟେର ପାଇନାହିଁ । ସାପ ଗଛ ଡାଳରେ ଲାଙ୍ଗୁଡ଼ ଗୁଡ଼ାଇ ତଳକୁ ଓହଳି ପଡ଼ିଲା । ବାଘଠାରୁ ଆଉ ପ୍ରାୟ ଦୁଇ ହାତ ଦୂରରେ ତା’ର ଫଣା ରହିଥାଏ । ଏହି ସମୟରେ ବାଘ ଉଠି କୁଦା ମାରିବାକୁ ବସିଲା । ସାପ ବୋଧହୁଏ ଜାଣିପାରିଲା ଯେ, ଶିକାର ପଳାଇ ଯାଉଛି । ସେ ଆଉ ଅପେକ୍ଷା ନ କରି ସାଙ୍ଗେ ସାଙ୍ଗେ ବାଘ ଉପରକୁ ଖସିପଡ଼ିଲା । ବାଘ ଠିକ୍‍ ଶିକାରୀଙ୍କ ଉପରକୁ କୁଦିପଡ଼ିଲା ବେଳକୁ, ସାପ ହାତେ ଚଉଡ଼ାର ଫଣା ଟେକି ବାଘ ମୁହଁରେ ଚୋଟ ବସାଇଲା ।

 

ହଠାତ୍‌ ସାପକୁ ଦେଖି ବାଘ ଚମକି ପଡ଼ିଲା, ଭୟ ବି ପାଇଗଲା । ତଥାପି କ୍ରୋଧରେ ଗର୍ଜିଉଠିଲା । ଆଗ ଗୋଡ଼ର ପଞ୍ଝା ସାପ ପିଠିରେ ଚାପିଦେଲା ।

 

ସାପ ଓ ବାଘ ଉଭୟଙ୍କ ଗର୍ଜନରେ ସେ ସ୍ଥାନ କମ୍ପିଗଲା ।

 

ସାପ ସାଙ୍ଗେ ସାଙ୍ଗେ ବାଘ ଦେହରେ ଗୁଡ଼ାଇ ହୋଇଗଲା । ଏପରି ଯତ୍ନରେ ସେ ବାଘ ଦେହକୁ ଛନ୍ଦିଦେଲା ଯେ, ସତେ ଯେପରି କୌଣସି ଲୋକ ଦଉଡ଼ି ଗୁଡ଼ାଇ ବାନ୍ଧିଛି । କଥାରେ କହନ୍ତି, ‘ନାଗସାପ ବନ୍ଧନ’ । ସେ ବନ୍ଧନରୁ ମୁକୁଳିବା କାହାରି ସାଧ୍ୟ ନାହିଁ । ସାପ ଗୁଡ଼ାଇ ହୋଇ ନିଜ ଦେହ ଭିଡ଼ି ଦେବାରୁ ବାଘ ଆଉ ଠିଆହୋଇ ରହିପାରିଲା ନାହିଁ; ସେଇଠାରେ ତଳେ ପଡ଼ିଗଲା । ପଛ ଗୋଡ଼ରେ ସାପର ବନ୍ଧନ ଫିଟାଇବାକୁ ବହୁତ ଚେଷ୍ଟା କଲା; ମାତ୍ର ସବୁ ବୃଥା ହେଲା । ବାଘ ଯେତିକି ଗୋଡ଼ ଛାଟି ହେଉଥାଏ, ସାପ ସେତିକି ଭିଡ଼ି ହୋଇ ଯାଉଥାଏ । ସେତେବଳେ ବାଘର ଯେଉଁ ଯନ୍ତ୍ରଣା, ତାହା ଦେଖି ଶିକାରୀମାନଙ୍କ ମନ ବି ଦବିଗଲା । ଲାଞ୍ଜ, ଗୋଡ଼, ମୁହଁ ବାଡ଼ଉ ବାଡ଼ଉ ସାପର ଫଣା ବାଘ ମୁହଁରେ ପଡ଼ିଗଲା । ସେ ଜୋରରେ ତାହା କାମୁଡ଼ି ଧଇଲା ।

 

ପ୍ରାୟ ଅଧଘଣ୍ଟାକ ମଧ୍ୟରେ ବଣର ସେ ମହାଯୁଦ୍ଧ ଶାନ୍ତ ହେଲା । ଉଭୟେ ମରି ଶୋଇଲେ । ତେଣୁ କିଏ ଜିତିଲା, କିଏ ହାରିଲା, ତାହା ଜାଣିବାର ଉପାୟ ନାହିଁ । ଏତେ ବଡ଼ ବାଘର ଦେହ ମାଂସ ପିଣ୍ଡୁଳାଟି ପରି ସେଠାରେ ପଡ଼ି ରହିଲା । ସାପର ମୁଣ୍ଡଟା ବାଘ ଦାନ୍ତ ଚାପରେ ଛିଡ଼ିଯାଇ ଗଣ୍ଡିରୁ ଅଲଗା ହୋଇଗଲା ।

 

(୭)

 

ସୁନ୍ଦରବନର ଅଜଗର ଅତି ମୋଟା ହୁଅନ୍ତି । ସେଗୁଡ଼ିକ ପ୍ରାୟ ସବୁ ସମୟରେ ନିର୍ଜୀବ ହୋଇ ପଡ଼ିଥାଆନ୍ତି । ଥରକେ ଗୋଟାଏ ହରିଣ, ଘୁଷୁରି ବା ବାଛୁରୀ କି ଛୋଟ ମଇଁଷି ମଧ୍ୟ ଗୋଟାସୁଦ୍ଧା ଗିଳିଦିଅନ୍ତି; ତା’ପରେ ହଲଚଲ ହେବାର ଯୁ ନଥାଏ । ପାଞ୍ଚ ସାତ ଦିନ କାଳ ଗୋଟିଏ ସ୍ଥାନରେ ମଲାପରି ପଡ଼ିରହନ୍ତି । ସେ ଜନ୍ତୁଟି ପେଟରେ ହଜମ ହୋଇଗଲେ, ପୁଣି ଶିକାର ଖୋଜି ବାହାରନ୍ତି । କିଛି ଗୋଟାଏ ଜନ୍ତୁ ପାଇଲେ, ତାହା ଗିଳି ପୂର୍ବ ପରି ଶୋଇରହନ୍ତି ।

 

ଥରେ କେତେକ ଲୋକ ସୁନ୍ଦର ବନ ଭିତରେ ପଶି କାଠ ହାଣୁଥିଲେ । ବହୁ ପରିଶ୍ରମ ପରେ ସେମାନେ କ୍ଳାନ୍ତ ହୋଇପଡ଼ିଲେ । ପାଖରେ ଗୋଟିଏ ବଡ଼ ଗଛମୂଳେ ମୋଟା ଶିଅଟାର କେତେକ ଅଂଶ ଦେଖା ଯାଉଥିଲା । ତାହା ଯେପରି ଲମ୍ବ, ସେହିପରି ଉଚ୍ଚ ମଧ୍ୟ । ତା’ ଉପରେ ବସିଲେ, ଗୋଟାଏ ବେଞ୍ଚ ଉପରେ ବସିଲା ପରି ଜଣାଯିବ । ଦୁଇଜଣ ଲୋକ କାଠ ହଣା ଛାଡ଼ିଦେଇ ଯାଇ ସେ ଶିଅଉପରେ ବସିଲେ । ତା’ପରେ ହୁକାରେ ନିଆଁ ଲଗାଇ ଗୁଡ଼ାଖୁ ଖାଇଲେ ଓ ବହୁ ସମୟ କଥାବାର୍ତ୍ତା ହେଲେ ।

 

କେତେବେଳ ପରେ ସେମାନେ ହୁକାରୁ ନିଆଁତକ ପାଖରେ ଶିଅଉପରେ ଝାଡ଼ିଦେଲେ-। ପର ମୁହୂର୍ତ୍ତରେ ତାଙ୍କୁ ଜଣାଗଲା, ସତେ ଯେପରି ଭୂମିକମ୍ପ ହେଉଛି । ସେମାନେ ଆଶ୍ଚର୍ଯ୍ୟ ହୋଇ ଏଣେତେଣେ ଚାହୁଁଛନ୍ତି, ହଠାତ୍‌ ଶିଅ ଉପରୁ ଗଡ଼ି ତଳେ ପଡ଼ିଗଲେ । ଭୟରେ ଠିଆହୋଇ ଦେଖିଲେ, ସେମାନେ ଗଛର ଶିଅ ଭାବି ଯାହା ଉପରେ ଏପର୍ଯ୍ୟନ୍ତ ବସିଥିଲେ, ପ୍ରକୃତରେ ତାହା ଶିଅ ନୁହେଁ–ଗୋଟାଏ ଅଜଗର ସାପର ଦେହ । ମାଟି ଓ ପଙ୍କ ତା’ ଦେହରେ ଲାଗି ଏପରି ଶୁଖିଯାଇଛି ଯେ, ଆଉ ସାପ ବୋଲି ଜଣା ପଡ଼ୁନାହିଁ ।

 

ବଡ଼ ବଡ଼ ବାଉଁଶ ତା’ ପେଟତଳେ ପୂରାଇ ଲୋକେ ତାକୁ ଟେକିବାକୁ ବହୁତ ଚେଷ୍ଟାକଲେ; ମାତ୍ର ସମସ୍ତ ପରିଶ୍ରମ ବୃଥା ହେଲା । କାଠ ବାନ୍ଧିବା ପାଇଁ ସେମାନେ ବହୁତ ଗୁଡ଼ିଏ ମୋଟା ଦଉଡ଼ା ସାଙ୍ଗରେ ନେଇଥିଲେ । ତାକୁ ଯୋଡ଼ି ସାପ ପେଟତଳେ ପୂରାଇଲେ ଏବଂ ଆଣ୍ଠୁ ଭିଡ଼ି କାଠ ବିଡ଼ା ବାନ୍ଧିଲା ପରି ଖୁବ୍‌ ଦୃଢ଼ ଗଣ୍ଠି ଦେଲେ । ଦଉଡ଼ାର ଅନ୍ୟ ପାଖ ଗଛର ଉପର ଡାଳରେ ବାନ୍ଧିଦେଲେ । କେବଳ ଠାଏ ନୁହେଁ, ଦୁଇ ଦୁଇ ହାତ ଅନ୍ତରରେ ଏହିପରି ତିନୋଟି ଦଉଡ଼ା ବାନ୍ଧି ସେମାନେ ଗଛରେ ଓହଳାଇ ଦେଲେ । ତା’ପରେ ବାଉଁଶ ଅଗରେ ମଶାଲ ବାନ୍ଧି ସାପ ଦେହରେ ନିଆଁସେକ ଦେଲେ ।

 

ଯେତେବେଳେ ଗରମ ଅତି ଅସହ୍ୟ ହେଲା, ସେତେବେଳେ ସାପ ଗଛମୂଳ ଗାତଭିତରୁ ପଦାକୁ ବାହାରି ଆସିଲା; ମାତ୍ର ସେଠାରୁ ଚାଲିଯିବାର ଉପାୟ ନାହିଁ । ଦେହର ମଝିଭାଗ ବନ୍ଧାହୋଇ ଓହଳିଛି । ସେ ଏପାଖ ସେପାଖ ଖୁବ୍‌ ମୋଡ଼ିହେଲା ଓ ଲାଙ୍ଗୁଡ଼ ବାହାର କରି ପଦାରେ ପିଟିଲା । ଏହିପରି ମୋଡ଼ିହେବା ଫଳରେ ଗୋଟାଏ ଦଉଡ଼ା ମଧ୍ୟ ଛିଡ଼ିଗଲା; ତଥାପି ସେ ମୁକୁଳି ଯାଇପାରିଲା ନାହିଁ ।

 

ସେତେବେଳେ ତା’ର ପାଟି ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଠିକ୍‌ ଗୋଟାଏ ପର୍ବତ ଗୁମ୍ଫା ପରି ତାହା ଦେଖା ଯାଉଥାଏ–ଗୋଟାଏ ମଣିଷ ହାମୁଡ଼େଇ ତା’ ଭିତରେ ଗଳିଯାଇ ପାରିବ ।

 

କାଠହଣା କୁରାଢ଼ୀ ଆଣି ସେମାନେ ତା’ ଦେହକୁ ଖଣ୍ଡଖଣ୍ଡ କରି କାଟିଲେ । ଦେଖାଗଲା, ତା’ ପେଟରେ ଗୋଟାଏ ବଡ଼ ଘୁଷୁରି ଓ ଚାରିଟା ଘୁଷୁରିଛୁଆ ଅକ୍ଷତ ଅବସ୍ଥାରେ ରହିଛନ୍ତି । ବୋଧହୁଏ ପାଞ୍ଚ ଛଅ ଘଣ୍ଟା ଆଗରୁ ଅଜଗର ସେମାନଙ୍କୁ ଗିଳିଛି । ପେଟଟା ଏପରି ଫୁଲିଯାଇଛି ଯେ, ମୁହଁ ଓ ଲାଞ୍ଜ ସେ ଗାତଭିତରେ ଲୁଚାଇ ଥିଲେ ମଧ୍ୟ ପେଟଟା ଭିତରକୁ ଯାଇପାରିନାହିଁ, ମାଟି ଉପରେ ଗଛର ଶିଅପରି ପଡ଼ିରହିଛି ।

 

(୮)

 

କେତେଦିନ ତଳେ ଖବରକାଗଜମାନଙ୍କରେ କୋରାପୁଟ ଜିଲ୍ଲାର ଗୋଟିଏ ସମ୍ବାଦ ପ୍ରକାଶ ପାଇଥିଲା । ସେ ସମ୍ବାଦ ଯୋଗେ ଚାରିଆଡ଼େ ଚହଳ ପଡ଼ିଯାଇଥିଲା । ତାହା ଯେପରି ଅଦ୍ଭୁତ, ସେହିପରି କରୁଣ ।

 

କୋରାପୁଟ ଜିଲ୍ଲାର ଗୋଟିଏ ମଫସଲ ଅଞ୍ଚଳର ମାଇନର ସ୍କୁଲ । ଜଣେ ଛାତ୍ର ସ୍କୁଲକୁ ଆସିବାକୁ ଜମା ରାଜି ହୁଏନାହିଁ । ଗୋଟିଏ ସପ୍ତାହ ଆସିଲେ ଆର ସପ୍ତାହଟି ଘରେ ଲୁଚେ । ଶିକ୍ଷକମାନେ ତାକୁ ବହୁତ ଧମକ ଦେଖାଇଲେ, କେତେ ଥର ମାଡ଼ ବି ଦେଲେ; ତଥାପି ପିଲାଟି ତା’ର ସ୍ୱଭାବ ଛାଡ଼ିଲା ନାହିଁ ।

 

ସାତ ଆଠ ଦିନ ଘରେ ଲୁଚି ରହି ଥରେ ପିଲାଟି ସ୍କୁଲକୁ ଆସିଲା । ଶିକ୍ଷକ ଦେଖିଲେ ଯେ, ଏପରି ପିଲାକୁ ମାଡ଼ ଦେଇ କିଛି ଲାଭ ନାହିଁ । ସେ ତାକୁ ବେଶି ଟିକିଏ ଭୟ ଦେଖାଇବା ଉଦ୍ଦେଶ୍ୟରେ ଗୋଟିଏ ଘରେ ସେଦିନଟି ବନ୍ଦକରି ରଖିବେ ବୋଲି ଠିକ୍‌ କଲେ ।

 

ସ୍କୁଲର ଗୋଟିଏ ପାଖିକିଆ ଘର କୌଣସି କାମରେ ଲାଗୁ ନ ଥାଏ । ଛାତ୍ରାବାସର ଜାଳେଣିକାଠ ଓ ଆଉ କେତେକ ଅଳିଆ ଜିନିଷ ଘରେ ଜମାହୋଇ ରହିଥାଏ । ଶିକ୍ଷକ ପିଲାଟିକୁ ନେଇ ସେ ଘରେ ପୂରାଇଦେଲେ । କବାଟ ବନ୍ଦ କରି ବାହାରେ ଜଞ୍ଜିର ଲଗାଇଦେଲେ ।

 

ପାଞ୍ଚ ସାତ ମିନିଟ ପରେ ପିଲା ବଡ଼ ବିକଳରେ କାନ୍ଦି ଉଠିଲା । ସେ ଡାକ ପକାଇଲା, ‘‘କବାଟ ଫିଟାଇ ଦିଅ, ସାପ ମୋତେ ଗିଳି ପକାଉଛି । ମୁଁ ମରିଗଲି ।’’

 

ଶିକ୍ଷକ ଭାବିଲେ, ପିଲାଟି ଘରୁ ପଳାଇ ଆସିବା ଲାଗି ଏପରି ମିଛରେ ପାଟି କରୁଛି । ତେଣୁ ସେ କବାଟର ଜଞ୍ଜିର ଫିଟାଇ ଦେଲେନାହିଁ । ସେ ସ୍ଥାନ ଛାଡ଼ି କ୍ଲାସକୁ ଚାଲିଗଲେ ।

 

କ୍ରମେ ପିଲାଟିର ବିକଳ କାନ୍ଦ ଉଚ୍ଚରୁ ଉଚ୍ଚତର ହେଲା । ତଥାପି ତା’ କଥାକୁ କେହି ବିଶ୍ୱାସ କଲେନାହିଁ । ତାକୁ ଉପଯୁକ୍ତ ଶିକ୍ଷା ଦେବାପାଇଁ ସେହି ଘରେ ବନ୍ଦକରି ରଖିଲେ ।

 

କେତେବେଳ ପରେ ଆଉ କୌଣସି ଶବ୍ଦ ଶୁଣାଗଲା ନାହିଁ । ଆଗରୁ ପ୍ରଧାନଶିକ୍ଷକ ସେ ବିକଳ ଶବ୍ଦ ଶୁଣିଥିଲେ; ମାତ୍ର ସେଥିପ୍ରତି ସେତେ ମନ ଦେଇ ନ ଥିଲେ । ପରେ କଅଣ ଭାବି ସେ ଘର ପାଖକୁ ଆସିଲେ । କବାଟ ପାଖରେ ଗୋଡ଼ ଦେବାକ୍ଷଣି, ତାଙ୍କୁ ଅତି କ୍ଷୀଣ ସ୍ୱରରେ ଗଁ ଗଁ ଶବ୍ଦ ଶୁଣାଗଲା । ସେ ହଠାତ୍‌ ଜଞ୍ଜିର ଫିଟାଇ କବାଟଟା ମେଲା କରିଦେଲେ ।

 

ମାତ୍ର ଘର ଭିତରେ ଯେ ଦୃଶ୍ୟ ଦେଖିଲେ, ସେଥିରେ ତାଙ୍କ ଆଖି ଖୋସି ହୋଇଗଲା, ଦେହ ଗୋଟାସୁଦ୍ଧା ଥରି ଉଠିଲା । ଗୋଟାଏ ଖୁବ୍‌ ବଡ଼ ଅଜଗର ସାପ ସେ ପିଲାଟିକୁ ଗୋଡ଼ଆଡ଼ୁ ଛାତିଯାଏ ଗିଳିସାରିଲାଣି । ପିଲାଟିର ଦେହରେ ଜୀବନ ଅଛି ସତ; ମାତ୍ର ତାହା ଅତି କ୍ଷୀଣ । ଆଖି ଦୁଇଟା ଡିମା ଡିମା ହୋଇ ପଦାକୁ ବାହରି ପଡ଼ିଲାଣି, ମୁହଁ କଳାକାଠ ପଡ଼ିଗଲାଣି ।

 

ସାପ ପାଟିରୁ ପିଲାଟିକୁ ଉଦ୍ଧାର କରିବାର ଆଉ କୌଣସି ଉପାୟ ନାହିଁ ।

 

ପ୍ରଧାନ ଶିକ୍ଷକ ପାଟି କରି ଉଠିଲେ । ସ୍କୁଲର ସବୁ ଶିକ୍ଷକ ଓ ଛାତ୍ର ଆସି ରୁଣ୍ଡ ହୋଇଗଲେ । ସେତେବେଳକୁ ପିଲାଟିର କେବଳ ମୁଣ୍ଡଟି ପଦାକୁ ଦିଶୁଥାଏ । ସମସ୍ତଙ୍କ ଆଖି ଆଗରେ ସେ ମୁଣ୍ଡଟି ମଧ୍ୟ କ୍ରମେ ଅଦୃଶ୍ୟ ହୋଇଗଲା–ଯେପରି ଅଥଳ ପାଣିରେ ଲୋକଟିଏ ବୁଡ଼ିଯାଏ ।

 

ପରେ ଅବଶ୍ୟ ସାପଟିକୁ ମାରି ଦିଆଗଲା; କିନ୍ତୁ ପିଲାଟି ଆଉ ଆସିଲା ନାହିଁ । ସ୍କୁଲରେ ସବୁ ଦିନ ପାଇଁ ସେ ଅନୁପସ୍ଥିତ ରହିଗଲା ।

 

(୯)

 

ଥରେ ଗୋଟିଏ ଉଡ଼ାଜାହାଜ କାଏରୋରୁ ଇଂଲଣ୍ଡ ଯିବାକୁ ଅନୁକୂଳ କଲା । ସେଥିରେ କେବଳ ଚାରି ଜଣ ଯାତ୍ରୀ ବସି ଥାଆନ୍ତି । ଚାଳକ ଜଣେ ପୁରୁଣା ଓ ଅଭିଜ୍ଞ ଲୋକ । ଉଡ଼ାଜାହାଜ ଚଳାଇ ସେ ବହୁ ଦୂର ଦେଶ ବୁଲିଛନ୍ତି ।

 

ଉଡ଼ାଜାହାଜଟି ନିର୍ଦ୍ଦିଷ୍ଟ ସମୟରେ ଉପରକୁ ଉଠିଲା । ଚାଳକ ଇଞ୍ଜିନ ପାଖରେ ବସି କଳ ମୋଡ଼ୁଥାଆନ୍ତି । ହଠାତ୍‌ ତାଙ୍କର ଆଖି ପଡ଼ିଗଲା ଯେ, ଇଞ୍ଜିନ ଭିତରେ ଗୋଟାଏ ବିଷାକ୍ତ ଗୋଖର ସାପ । ସେତେବେଳକୁ ଉଡ଼ାଜାହାଜଟି ପୃଥିବୀ ଉପରୁ ପ୍ରାୟ ଦୁଇଶହ ହାତ ଉଚ୍ଚରେ ଶୂନ୍ୟରେ ଉଡ଼ୁଛି ।

 

ସେତେବେଳେ ଚାଳକଙ୍କୁ ଚାରିଆଡ଼ ଅନ୍ଧାର ଦେଖାଗଲା କଅଣ କରିବେ, କିଛି ଠିକ୍‌ କରିପାରିଲେ ନାହିଁ ।

 

ସାପ ଆଗରୁ କେତେବେଳେ ଯେ ଆସି ଇଞ୍ଜିନଭିତରେ ନିଶ୍ଚିନ୍ତରେ ଶୋଇଛି, ତାହା କେହି ଜାଣନ୍ତି ନାହିଁ । ଇଞ୍ଜିନ କଳ ଘଁ ଘଁ ଶବ୍ଦ କରିବାରୁ ତା’ର ନିଦ ଭାଙ୍ଗିଗଲା । ସେ ଫଣା ଟେକି ଦେଖିଲା, ଆଗରେ ଜଣେ ମଣିଷ । ସେ ଆଉ ସମ୍ଭାଳି ରହିପାରିଲା ନାହିଁ । ସୁଉ ସୁଉ ଗର୍ଜନ ଛାଡ଼ି ଚାଳକଙ୍କୁ କାମୁଡ଼ିବାକୁ ଫଣା ବଢ଼ାଇଦେଲା ।

 

ଚାଳକ ଦୁଇ ହାତରେ କଳ ଧରି ମୋଡ଼ୁଥିଲେ । ବାଁ ହାତଟି କଳରୁ ଛାଡ଼ି ଦେଇ ସାପ ଫଣାକୁ ବେକ ପାଖରୁ ଧରି ପକାଇଲେ । ଏଣେ ଖାଇବା ହାତରେ ଠିକ୍‌ ରୂପେ ଇଞ୍ଜିନ ଚଳାଉ ଥାଆନ୍ତି । ଯାତ୍ରୀ କି ତାଙ୍କର ସହକର୍ମୀମାନେ କେହି କିଛି ଜାଣି ପାରିଲେନାହିଁ । ସେମାନେ ଶୁଣିଲେ ହଡ଼ବଡ଼େଇ ଯିବେ, ସେତେବେଳେ ଉଡ଼ାଜାହାଜ ଚଳାଇବା ସୁବିଧାଜନକ ହେବ ନାହିଁ ଭାବି, ଚାଳକ ସେମାନଙ୍କୁ କିଛି କହିଲେ ନାହିଁ ।

 

ସାପ ମୁହଁ ଦୃଢ଼ମୁଷ୍ଟିରେ ରହିଗଲା । ଯେତେ ଚେଷ୍ଟା କଲେ ମଧ୍ୟ ସେ ମୁଠାରୁ ମୁକୁଳି ଯାଇପାରିଲା ନାହିଁ । ତେଣୁ ତା’ର ଲାଙ୍ଗୁଡ଼କୁ ଆଣି ଚାଳକଙ୍କ ହାତ ଚାରିପାଖ ଗୁଡ଼ାଇ ଦେଲା । ଅନ୍ୟ ହାତଟିରେ କଳ ଚଳାଉଥିବାରୁ ଚାଳକ ସାପକୁ ଆଉ ବାଧା ଦେଇପାରିଲେ ନାହିଁ ।

 

ସାପ କ୍ରମେ ଭିଡ଼ି ହେବାରୁ ଚାଳକଙ୍କୁ ଅସହ୍ୟ ଯନ୍ତ୍ରଣା ହେଲା । ହାତର ଚମ ସ୍ଥାନେ ସ୍ଥାନେ ଫାଟିଯାଇ ମାଂସ ଓ ରକ୍ତ ବାହାରିପଡ଼ିଲା । ଶେଷକୁ ହାଡ଼ ମଟମଟ ହୋଇ ଭାଙ୍ଗି ଯିବାକୁ ବସିଲା । ତଥାପି ଚାଳକ ଖାଇବା ହାତଟି ଇଞ୍ଜିନରୁ ଛାଡ଼ୁ ନ ଥାନ୍ତି । ଇଞ୍ଜିନରୁ ହାତ ଦୂରକୁ ଯିବା ମାତ୍ରକେ ଉଡ଼ାଜାହାଜଟି ତଳେ ଖସି ପଡ଼ିବ; ସମସ୍ତଙ୍କ ମୃତ୍ୟୁ ସୁନିଶ୍ଚିତ ।

 

ପ୍ରାୟ ସାତ ଆଠ ମିନିଟ ପରେ ନିକଟବର୍ତ୍ତୀ ଉଡ଼ାଜାହାଜ ପଡ଼ିଆ ପଡ଼ିଲା । ଉଡ଼ାଜାହାଜଟି ସେଠାରେ ଆକାଶରୁ ଖସିଲା । ଏହା ଦେଖି ଯାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଗଲେ; ଚାଳକଙ୍କ ଉପରେ ବିରକ୍ତ ମଧ୍ୟ ହେଲେ ।

 

ତଥାପି ଉଡ଼ାଜାହାଜଟି ପଡ଼ିଆରେ ଓହ୍ଲାଇଲା । ହଠାତ୍‌ ବିମାନଟି ସେଠାରେ ଅଟକି ଯିବାରୁ ସେଠାର କର୍ମଚାରୀ ଆସି ଜମା ହୋଇଗଲେ । ଯାତ୍ରୀମାନେ ମଧ୍ୟ ନିଜ ନିଜ ସ୍ଥାନରୁ ଉଠିଆସିଲେ ।

 

ସମସ୍ତେ ଦେଖିଲେ, ଚାଳକ ଅଚେତ ହୋଇ ପଡ଼ିଛନ୍ତି । ଖାଇବା ହାତଟିରେ କଳ ଓ ବାଁ ହାତରେ ସାପକୁ ଦୃଢ଼ ଭାବରେ ଧରିଛନ୍ତି ।

 

ସାଙ୍ଗେସାଙ୍ଗେ ସାପଟିକୁ ମାରି ଦିଆଗଲା । ଡାକ୍ତରଙ୍କ ଚିକିତ୍ସା ପରେ ଚାଳକ ଚେତା ପାଇଲେ । ସେ କହିଲେ, ଉଡ଼ାଜାହାଜ ପଡ଼ିଆଟି ଦେଖି ସେ ବାଧ୍ୟହୋଇ ଆକାଶରୁ ଖସିବା ପାଇଁ କଳ ମୋଡ଼ିଥିଲେ; ମାତ୍ର ତା’ପରେ କଅଣ ହେଲା କିଛି ସେ ଜାଣନ୍ତି ନାହିଁ ।

Image